ମୁଲ୍ଲାଙ୍କ ଶିକ୍ଷା

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କୁ ତାଙ୍କ ପତ୍ନୀ ସର୍ବଦା କହୁଥିଲେ ଯେ ନିଜ ବୁଦ୍ଧି ଖଟାଅ। ନିର୍ବୋଧଙ୍କ ଭଳି ହୁଅନା। ମୁଲ୍ଲା ସେ ଦିଗରେ ଚେଷ୍ଟା ମଧ୍ୟ କରୁଥିଲେ।

ଦିନେ ମୁଲ୍ଲା ଗୋଟିଏ ଗଛରେ ଚଢ଼ି ଯେଉଁ ଡାଳରେ ବସିଥିଲେ ସେହି ଡାଳକୁ କାଟୁଥିଲେ। ଏହି ସମୟରେ ଜଣେ ଲୋକ ସେହି ବାଟ ଦେଇ ଗଲା ବେଳେ ଏହା ଦେଖି କହିଲା- ମୁଲ୍ଲା, ଏ କ’ଣ କରୁଛ? ଏମିତି ‌ହେଲେ ତଳେ ଖସି ପଡ଼ିବ।
ମୁଲ୍ଲା ଏହା ଶୁଣି କହିଲେ- ତୋ ବୁଦ୍ଧିରେ ପଡ଼ିବି? ମୁଁ ମୋ ନିଜ ବୁଦ୍ଧି ଖଟାଇ କାମ କରୁଛି। ତୁ ଭାଗ୍‌।

ମୁଲ୍ଲା ପାନେ ପାଆନ୍ତୁ ବୋଲି ଗରଗର ହୋଇ କହି ସେ ଲୋକଟି ଚାଲିଗଲା। ଏହାର ଅଳ୍ପ ସମୟ ପରେ ମୁଲ୍ଲା ଡାଳଟି ସହିତ ତଳେ ଦୁମ୍‌ କିନା ପଡ଼ିଲେ। ତାଙ୍କ ଗୋଡ଼ ଭାଙ୍ଗିଗଲା। ‌ସେ ବୁହା ହୋଇ ଘରକୁ ଗଲେ।

ମୁଲ୍ଲାଙ୍କ ପତ୍ନୀ ଏହାର କାରଣ ପଚାରିବାରୁ ମୁଲ୍ଲା ସବୁ କହିଗଲେ ଓ କହିଲେ- ସତ କହୁଛି ନିଜ ବୁଦ୍ଧି ଖଟାଇ ଥିଲି। କିନ୍ତୁ ଏମିତି ଦଶା ହେଲା।

ଏହା ଶୁଣି ମୁଲ୍ଲାଙ୍କ ପତ୍ନୀ ମୁଣ୍ଡରେ ହାତ ଦେଲେ। କିଛି ସମୟ ପରେ ମୁଲ୍ଲା କହିଲେ- ବ୍ୟସ୍ତ ହୁଅନି। ଏଥିରୁ ମୁଁ ଗୋଟିଏ ଶିକ୍ଷା ବି ପାଇଛି।

ମୁଲ୍ଲାଙ୍କ ପତ୍ନୀ ପଚାରିଲେ- କି ଶିକ୍ଷା?

ମୁଲ୍ଲା କହିଲେ- ଆମ ଗାଁର ସେ ଲୋକକୁ ମୁଁ ଅପଦାର୍ଥ ବୋଲି ଭାବିଥିଲି। କିନ୍ତୁ ସେ ତ କମାଲ କରିଦେଲା। ତା ଭଳି ଜ୍ୟୋତିଷ ପୃଥିବୀରେ ନ ଥିବେ। କେତେ ବଢ଼ିଆ ଭବିଷ୍ୟତ୍‌ କଥା କହି ପାରିଲା ଦେଖୁଛ?

ସମ୍ବନ୍ଧିତ ଖବର