ପ୍ରଭୁଙ୍କ ଅଲୌକିକତା
କଥାଟିଏ - ଯାଯାବର
ଥରେ ଗୋଟିଏ ଡଙ୍ଗାରେ କିଛି ଲୋକ ନଈ ପାର ହେଉଥିବା ବେଳେ ମଝି ନଈରେ ଭୀଷଣ ଝଡ଼ ତୋଫାନ ସହିତ ବର୍ଷା ଆସିଗଲା। ଡଙ୍ଗାଟି ଉତ୍ତାଳ ନଈରେ ଉବୁଟୁବୁ ହେବାରେ ଲାଗିଲା। ତହିଁରେ ଥିବା ଯାତ୍ରୀମାନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ଯୁବକ ନାଉରିଆ ବିଚରା ଡଙ୍ଗାକୁ କାବୁ କରିବା ଲାଗି ପ୍ରାଣପଣେ ଉଦ୍ୟମ କଲା। କିନ୍ତୁ ତାର ସମସ୍ତ ଉଦ୍ୟମ ପଣ୍ଡ ହେଲା। ଡଙ୍ଗାରେ ପାଣି ପଶିଲା। ତେବେ ନାଉରିଆ ନିଜକୁ ନିେଜ କହିଲା- ସବୁ ଦିନ ତ ମୁଁ ଅତି ଆରାମରେ ଡଙ୍ଗା ଚଳାଇଥାଏ। ଆଜି ପ୍ରଭୁ ମୋତେ ପରୀକ୍ଷାରେ ପକାଇଛନ୍ତି। ତେଣୁ ଏ ପରୀକ୍ଷାର ସାମନା କରିବା ଉଚିତ।
ଏହା କହି ସେ ପାଗଳ ଭଳି ଡଙ୍ଗାରୁ ପାଣି ବାହାରକୁ ବାହାର କରିବାରେ ଲାଗିଲା। ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଯାତ୍ରୀମାନେ ଭାବୁ ଥାଆନ୍ତି ଯେ ଏହା ଅକାରଣ। କିନ୍ତୁ ନାଉରିଆ ତା କାମରେ ଲାଗିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ସମୟ ପରେ ବିପଦ ଟଳିଗଲା। ଡଙ୍ଗା କୂଳରେ ଲାଗିଲା। ସମସ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେଲେ। ନାଉରିଆଟି ହାଲିଆ ହୋଇ କୂଳରେ ଲୋଟି ପଡ଼ିଲା।
ଡଙ୍ଗାରେ ଯାଉଥିବା ଜଣେ ବୃଦ୍ଧ ଏହି ସମୟରେ କହିଲେ- ତୁମେମାନେ ଉପରକୁ ଚାହିଁ ଭଗବାନଙ୍କୁ କ’ଣ କୃତଜ୍ଞତା ଜଣାଉଛ? ଦେଖ ଭଗବାନ ସେଇଠି। ତୁମେମାନେ ଭାବୁଛ କି ଝଡ଼ କମିଯିବା ଆଉ ଡଙ୍ଗା କୂଳରେ ଲାଗିବା ହେଉଛି ଅଲୌକିକତା। ତାହା ନୁହେଁ। ପ୍ରଭୁଙ୍କ ଅଲୌକିକତା ହେଲା ନାଉରିଆଙ୍କ ହାତରେ ବଳ ଦେଇ ଏହି ଡଙ୍ଗାକୁ ରକ୍ଷା କରିବା।