ସାଧୁଙ୍କ ଭବିଷ୍ୟବାଣୀ

କଥାଟିଏ - ଯାଯାବର

ଥରେ ରାଜା ରାଜ୍ୟର ପ୍ରସିଦ୍ଧ ତ୍ରିକାଳଦ୍ରଷ୍ଟା ସାଧୁଙ୍କୁ ପଚାରିଲେ- ମୋ ସମୟ କେମିତି ଚାଲିଛି?

ସାଧୁ କହିଲେ- ଆପଣଙ୍କ ଲାଗି ଏହା ସବୁଠାରୁ ଭଲ ସମୟ। ଏହା କହି ସାଧୁ ପୁଣି ଜଙ୍ଗଲକୁ ଚାଲିଗଲେ।

ରାଜା ବେଶ୍‌ ପ୍ରସନ୍ନ ଦିଶିଲେ। ପର ଦିନ ସକାଳେ ସେ ଏକୁଟିଆ ମନ ଖୁସିରେ ଘୋଡ଼ା ପିଠିରେ ବସି ବୁଲି ବାହାରିଗଲେ। ଏଣେ ତାଙ୍କ ବିପକ୍ଷରେ ଏକ ବଡ଼ ଷଡ୍‌ଯନ୍ତ୍ର ଚାଲିଥିଲା। ଷଡ୍‌ଯନ୍ତ୍ରକାରୀମାନେ ରାଜ ଉଆସରେ ଅଗ୍ନି ସ˚ଯୋଗ କରି ତାଙ୍କୁ ସପରିବାର ମାରିଦେବାର ଚକ୍ରାନ୍ତ କରୁଥିଲେ। କିନ୍ତୁ ରାଜା ଏକୁଟିଆ ଘୋଡ଼ା ପିଠିରେ ବୁଲି ବାହାରିଯିବା ଷଡ୍‌ଯନ୍ତ୍ରକାରୀ ଅମାତ୍ୟମାନଙ୍କୁ ଶୀଘ୍ର ସୁଯୋଗଟିଏ ଆଣିଦେଲା। ସେମାନଙ୍କ ଦ୍ବାରା ନିଯୁକ୍ତ ଜଣେ ଘାତକ ରାଜାଙ୍କୁ ଏକୁଟିଆ ଦେଖି ତାଙ୍କ ଛାତିରେ ତରବାରି ଭୁସି ଦେଇ ଜଙ୍ଗଲରେ ପକାଇ ଦେଇ ଚାଲିଗଲା। ରାଜା କିନ୍ତୁ ମରି ନ ଥିଲେ। ରାଜାଙ୍କୁ ଜଙ୍ଗଲ ଭିତରେ ପାଇଲେ ସେଇ ସାଧୁ। ସେ ରାଜାଙ୍କ ଚିକିତ୍ସା କରିବା ସହିତ ଦୁଇ ଜଣ ଶିଷ୍ୟଙ୍କୁୁ ପଠାଇ ତୁରନ୍ତ ରାଣୀ ମା’ ଓ ଶିଶୁ ପୁତ୍ରଙ୍କୁ ନିଜ ଆଶ୍ରମକୁ ଗୋପନରେ ଡକାଇ ଆଣିଲେ। ଏଣେ ଷଡ୍‍ଯନ୍ତ୍ରକାରୀମାନେ ଦୁଇ ଦିନ ଭିତରେ ରାଜ ଉଆସ ଉପରେ ଆକ୍ରମଣ କରି ତାକୁ ବାହାରୁ କିଳି ଦେଇ ନିଆଁ ଲଗାଇ ଦେଲେ। ରାଜାଙ୍କ ପରେ ତାଙ୍କ ପରିବାର ମରିଗଲେ ବୋଲି ସେମାନେ ନିଶ୍ଚିନ୍ତ ହେଲେ।

ଏଣେ ସୁସ୍ଥ ହେଉଥିବା ରାଜା ସାଧୁଙ୍କୁ ଅତି ବିଷଣ୍ଣ ମୁହଁରେ ପଚାରିଲେ- ମୋର ରାଜପଦ ଗଲା। ସବୁ କିଛି ଗଲା। ଆପଣ କେମିତି କହୁଥିଲେ ଯେ ମୋର ଭଲ ସମୟ ଚାଲିଛି ବୋଲି?

ସାଧୁ କହିଲେ- ତୁମେ ତୁମର ବର୍ତ୍ତମାନର ଅବସ୍ଥାକୁ ଦେଖି ଭାବୁଛ କି ଖରାପ ବେଳା ଚାଲିଛି? ନା, ଏବେ ଭଲ ସମୟ ହିଁ ଚାଲିଛି। ତାହା ହୋଇ ନ ଥିଲେ ତୁମେ ଆଜି ତୁମ ପରିବାର ସହିତ ଜୀବନ୍ତ ଦଗ୍‌ଧ ହୋଇ ସାରନ୍ତଣି। ତୁମ ସହିତ ଯାହା ଘଟିଛି ତାହା ତୁମର ମଙ୍ଗଳ ଲାଗି ଘଟିଛି। ତୁମେ ସୁସ୍ଥ ହୋଇ ପୁଣି ରାଜସି˚ହାସନ ଅକ୍ତିଆର କରିବା ଲାଗି ଏହା ଘଟିଛି।

ସମ୍ବନ୍ଧିତ ଖବର