କିଏ ଦୋଷୀ?

କଥାଟିଏ - ଯାଯାବର

ୟୁଜିକେ ଥରେ ଏହି କଥାଟି କହିଲେ।

କିଛି ଦିନ ତଳେ ଡେଟ୍ରଏଟ୍‌ ସହରରେ ମୁଁ ଆଉ ମୋର ଜଣେ ବନ୍ଧୁ ଗୋଟିଏ ସ୍ଥାନକୁ ଯାଉଥିଲୁ। ବନ୍ଧୁ ନୂଆ ଗାଡ଼ି କିଣିଥିଲେ ଓ ତାକୁ ଚଳାଉଥିଲେ। ଗୋଟିଏ ସ୍ଥାନରେ ତାଙ୍କ ଗାଡ଼ିଟି ସହିତ ଆଉ ଗୋଟିଏ ଗାଡ଼ିର ମୃଦୁ ଧକ୍କା ହୋଇଗଲା। କାହାର କିଛି କ୍ଷତି ହେଲାନାହିଁ। ଗାଡ଼ି ଦୁଇଟି ମଧ୍ୟ ଜଖମ ହୋଇ ନ ଥିଲେ। କିନ୍ତୁ ଦୁଇ ଗାଡ଼ିର ଚାଳକଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଉଭୟେ ନିଜ ନିଜ ଗାଡ଼ିରୁ ବାହାରି ଯାଇ ପରସ୍ପରକୁ ଏମିତି ଭାବେ ସାମନା କଲେ, ଯେମିତି କ୍ଷଣିକ ଭିତରେ ହାତାହାତି ହୋଇଯିବେ। ମୁଁ ମଧ୍ୟ ଗାଡ଼ିରୁ ବାହାରି ବନ୍ଧୁଙ୍କ ପାଖରେ ଛିଡ଼ା ହୋଇଯାଇଥିଲି। ଦୁହିଁଙ୍କ ନାକ ପୁଡ଼ାରୁ ଅଣଚାଶ ପବନ ବହୁଥିଲା। ମୁଁ କିନ୍ତୁ ମୋ ବନ୍ଧୁଙ୍କ ହାତକୁ ଧୀରେ ଛୁଇଁଲି। ବନ୍ଧୁ ମୋ ଠାରୁ ବାର୍ତ୍ତା ପାଇଗଲେ। ହଠାତ୍‌ ସେ ପ୍ରକୃତିସ୍ଥ ହୋଇଗଲେ ଏବଂ ‘ସରି’ ବା ଦୁଃଖିତ ବୋଲି କହିଲେ। ପୂରା ସ୍ଥିତି ବଦଳିଗଲା। ପ୍ରତିପକ୍ଷ ବି ନରମ ପଡ଼ିଗଲେ। ସେଠାରୁ ବିଦାୟ ନେଲା ବେଳକୁ ଉଭୟେ ପରସ୍ପରର କର ମର୍ଦ୍ଦନ କଲେ।

କଥାଟି କହିସାରି ୟୁଜିକେ ପଚାରିଲେ- ଏବେ କୁହନ୍ତୁ ଏହି କଥାରୁ କ’ଣ ବୁଝିଲେ।

ଏହାକୁ ଶୁଣୁଥିବା ଲୋକଙ୍କ ଭିତରୁ ଜଣେ କହିଲେ- ଆପଣଙ୍କ ଯାହା ଇଙ୍ଗିତ ତାହା ହେଲା, ଆମେ ନିଜେ ନିଜର ଶତ୍ରୁ ବା ମିତ୍ର। ଆମେ ଭଲ ବାଟରେ ଥିବା ଯାଏ ଆମେ ଆମର ମିତ୍ର। ସେ ଦିନ ଆପଣଙ୍କ ବନ୍ଧୁ କ୍ରୋଧ ସମ୍ବରଣ କରି ନ ଥିଲେ ପରିସ୍ଥିତି ଯାହା ହୋଇଥାଆନ୍ତା, ସେଥି ଲାଗି ଅପର ପକ୍ଷକୁ ହିଁ ଦୋଷ ଦେଇଥାଆନ୍ତେ। କିନ୍ତୁ ପ୍ରକୃତରେ ସେଭଳି ସ୍ଥଳେ ସେ ନିଜେ ହିଁ ଦୋଷୀ।

ସମ୍ବନ୍ଧିତ ଖବର