ମଧ୍ୟମ ମାର୍ଗ

କଥାଟିଏ - ଯାଯାବର

ଗୌତମ ବୁଦ୍ଧ କହୁଥିଲେ ମଧ୍ୟମ ପନ୍ଥା ସବୁଠାରୁ ଭଲ। ସେ କହୁଥିଲେ ବୀଣାର ତାରକୁ ଏତେ ଢିଲା ଛାଡ଼ନାହିଁ ଯେ ତହିଁରୁ ଶବ୍ଦ ବାହାରିବ ନାହିଁ ଏବଂ ତାକୁ ଏତେ ଜୋରରେ ଭିଡ଼ ନାହିଁ ଯେ ତାହା ଛିଣ୍ଡି ଯିବ! ଯେଉଁମାନେ ଆଗ୍ରହାତିଶଯ୍ୟରେ ହେଉ ବା ନିର୍ବୋଧତା କାରଣରୁ ହେଉ; ଅଧିକରୁ ଅଧିକ ଟାଣି ଚାଲନ୍ତି, ସେମାନଙ୍କ ଲାଗି ପରାମର୍ଶ ହେଲା, ମଧ୍ୟମ ପନ୍ଥା ହିଁ ଉଚିତ ପନ୍ଥା।

ସେହି ମର୍ମରେ ଏହି କଥାଟି ଜର୍ମାନିର ଗୋଟିଏ ଗାଁରେ ମଇଳା ସଫା କରିବା ଲାଗି ଘୋଡ଼ାଟଣା ଗାଡ଼ିଟିଏ କିଣାଗଲା। ଗାଁଟି ଥିଲା ଗରିବ ଏବଂ ଗାଁ କମିଟି ପାଖରେ ପଇସା ନ ଥିଲା। ତେଣୁ ଘୋଡ଼ାର ଦାନା ବାବଦ ଖର୍ଚ୍ଚ ବଳେଇଗଲା। ତେଣୁ କମିଟି ସ୍ଥିର କଲା ଘୋଡ଼ାର ଖାଇବା ଅଧା କମେଇ ଦେଇ ଦେଖିବ। ଘୋଡ଼ାଟି ଏଣିକି ଅଧା ଖାଇଲା, କିନ୍ତୁ କାମ କଲା।

ଏବେ କମିଟି କହିଲା- ଆରେ ଆମେ ଏତେ ବୁଦ୍ଦୁ ଥିଲେ! ଏବେ ଖାଇବା ଆହୁରି କମାଇ ଦେବା। ଏମିତି କିଛି ଦିନ ଅନ୍ତରରେ ଘୋଡ଼ାର ଦାନା କମାଇ ଦିଆଯିବାରେ ଲାଗିଲା। ଘୋଡ଼ାଟି ଅତି ଅଳ୍ପ ଖାଇବା ସତ୍ତ୍ବେ ଗାଡ଼ି ଟାଣି ପାରିଲା। ଶେଷରେ କମିଟିର କର୍ତ୍ତୃପକ୍ଷ କହିଲେ- ଏଇ ଘୋଡ଼ାକୁ ଅନାହାରରେ ରଖିଲେ ବି ତାହା କାମ କରିବ। ତେଣୁ ଘୋଡ଼ାକୁ ଅନାହାରରେ ରଖାଗଲା ଏବଂ ପରିଶେଷରେ ଯାହା ହେବା କଥା ତାହା ହେଲା। ଅସ୍ଥି ଚର୍ମସାର ଘୋଡ଼ାଟି ଦିନେ ଗାଡ଼ି ଟାଣୁ ଟାଣୁ ଟଳିପଡ଼ିଲା।

ସମ୍ବନ୍ଧିତ ଖବର