ବିଶ୍ବାସଘାତକ

କଥାଟିଏ - ଯାଯାବର

ଜଣେ ଲୋକ ଜଙ୍ଗଲ ଭିତର ଦେଇ ଯାଉଥିବା ବେଳେ ବାଘ ହାବୁଡ଼ରେ ପଡ଼ିଲା। ଲୋକଟି ନେହୁରା ହୋଇ କହିଲା- ମୋତେ ଛାଡ଼ି ଦିଅ। ମୁଁ ବହୁତ ଅସୁବିଧାରେ ଅଛି। ମୋ ଝିଅର ବାହା ଘର ହେବାକୁ ଅଛି। ମୁଁ ତୁମକୁ କଥା ଦେଉଛି ମୋ ଜଞ୍ଜାଳ ତୁଟେଇ ତୁମ ପାଖକୁ ଆସିବି। ମୋତେ କେବଳ ଦୁଇ ସପ୍ତାହ ସମୟ ଦିଅ।

ଏ କଥା ଶୁଣି ବାଘ ତାକୁ କହିଲା- ତୁମେ କଥା ଦେଲ ବୋଲି ମୁଁ ତୁମକୁ ଛାଡ଼ିଦେଲି। କିନ୍ତୁ ମନେ ରଖ, ଦୁଇ ସପ୍ତାହ।
ଦୁଇ ସପ୍ତାହ ପରେ ବାଘ ଦେଖିଲା ଲୋକଟି ଆସୁଛି। ଲୋକଟି ସେଠାରେ ପହଞ୍ଚି ବାଘକୁ ଡାକିଲା ଏବ˚ କହିଲା- ମୁଁ ମୋର ବାକ୍ୟ ରକ୍ଷା କରି ଆସିଗଲିଣି। ଏବେ ଆସ।

ହଠାତ୍‌ ବୁଦା ପଛରୁ ବାଘର ଗର୍ଜନ ଶୁଭିଲା। ଲୋକଟି ତତ୍‌କ୍ଷଣାତ୍‌ ବୁଦା ଆଡ଼କୁ ଇସାରା କଲା ଏବ˚ ଗୋଟିଏ ଗଛ ପଛରୁ ଆଖି ପିଛୁଳାକେ ଦୁଇ ତିନିଟି ତୀର ସାଇଁ ସାଇଁ କରି ବୁଦା ଭିତରକୁ ପଶିଗଲା।

ଲୋକଟି ତା ପରେ କିଛି କହିବା ପୂର୍ବରୁ ବାଘର ଗର୍ଜନ ଆଉ ଥରେ ଶୁଭିଲା। ବାଘ ସେଠାରୁ ଚାଲିଯାଇଥିଲା।

କିନ୍ତୁ ଜଙ୍ଗଲ ଭିତରୁ ବାଘର କ୍ରୋଧିତ ସ୍ବର ଶୁଭିଲା- ବିଶ୍ବାସଘାତକ, ତୋ ସତ୍ୟ ବଚନ ଉପରେ ବିଶ୍ବାସ କରି ତୋତେ ଛାଡ଼ିଦେଇଥିଲି। କିନ୍ତୁ ତୁ ମୋ ସହିତ ପ୍ରତାରଣା କଲୁ! ଏଣିକି ତୁମ ଉପରେ ଆଉ ବିଶ୍ବାସ ନାହିଁ।

ବାଘ ଓ ମଣିଷର ଶତ୍ରୁତା ସେହି ଦିନ ଠାରୁ ଲାଗି ରହିଛି।

ଆଦିବାସୀ ଲୋକ କଥାରେ ଏହା ରହିଛି। ସେମାନେ ବିଶ୍ବାସ କରନ୍ତି ଯେ ବାଘ ପଛରୁ ଆକ୍ରମଣ କରିବା କଥାଟି ମଣିଷ ଠାରୁ ଶିଖିଛି।

ସମ୍ବନ୍ଧିତ ଖବର