ଜଣେ ବ୍ୟକ୍ତି ଗପଟିଏ କହୁଥିଲେ।
ଜଣେ ମାଛ ଧରାଳି ମାଛ ମାରିବାକୁ ଯାଇ ଅଥଳ ସମୁଦ୍ରରେ ଭୀଷଣ ଝଡ଼ର ସାମନା କଲେ। ସମୁଦ୍ରରେ ତାଙ୍କ ଡଙ୍ଗା ବୁଡ଼ିଗଲା। କୌଣସିମତେ ତିନି ଦିନ ଓ ତିନି ରାତି ସେ ଏକ କାଠ ଖଣ୍ଡକୁ ଧରି ପାଣିରେ ଭାସି ରହିବା ପରେ ଜୀବନର ଆଶା ଛାଡ଼ିଦେଲେ। କିନ୍ତୁ ଏହି ସମୟରେ ଏକ ଜାହାଜ ସେହି ବାଟ ଦେଇ ଗଲା ଏବଂ ତାଙ୍କୁ ଉଦ୍ଧାର କଲା। ମାଛ ଧରାଳି ଜଣକ ବଞ୍ଚି ଯାଇଥିବା ହେତୁ ଈଶ୍ବରଙ୍କୁ ସହସ୍ର କୃତଜ୍ଞତା ଜଣାଇଲେ।
ତାଙ୍କ ଠାରୁ ସେ ରହୁଥିବା ସ୍ଥାନ ବିଷୟ ଶୁଣି ତାଙ୍କୁ ଗାଁ ପାଖରେ ଓହ୍ଲାଇ ଦେବାର ବ୍ୟବସ୍ଥା କରାଗଲା। ସେ ଅତି ଖୁସିରେ ଘରମୁହାଁ ହେଲେ। କିନ୍ତୁ ଗାଁରେ ପହଞ୍ଚି ସେ ଦେଖିଲେ ଯେ ତାଙ୍କ ଛୋଟ ଗାଁର ଅସ୍ତିତ୍ବ ହିଁ ନାହିଁ। ସେ ସାମନା କରିଥିବା ଝଡ଼ ତାଙ୍କ ଗାଁକୁ ସମୁଦ୍ର ଭିତରେ ଲୀନ କରିଦେଇଥିଲା। ତାଙ୍କ ପରିବାରର ସମସ୍ତେ ତଥା ବନ୍ଧୁବାନ୍ଧବ ସେଥିରେ ପ୍ରାଣ ହରାଇ ଥିଲେ। କିଛି ସମୟ ଆଗରୁ ଭଗବାନଙ୍କୁ କୃତଜ୍ଞତା ଜଣାଉଥିବା ମାଛ ଧରାଳି ଏବେ ତାଙ୍କୁ କାହିଁକି ବଞ୍ଚାଇ ରଖିଲେ ବୋଲି ଭଗବାନଙ୍କୁ ଧିକ୍କାର କରୁଥିଲେ।
ଏହି କଥାଟି କହି ସେହି ବ୍ୟକ୍ତି ଗୁରୁ ୟୁଜିକେଙ୍କୁ ପଚାରିଲେ ଏଭଳି ପ୍ରକରଣରେ ଈଶ୍ବରଙ୍କ ଉଦ୍ଦେଶ୍ୟ କ’ଣ ଥିଲା?
ୟୁଜିକେ କହିଲେ- ସବୁ କିଛି ପଛରେ ଯଦି ଈଶ୍ବରଙ୍କ ଭୂମିକା ଅଛି ବୋଲି ଆମେ ବିଚାର କରୁ, ତେବେ ଏହା ବି ଜାଣିବା ଉଚିତ ଯେ ଏଥିରେ ତାଙ୍କର ଉଦ୍ଦେଶ୍ୟ କେବଳ ଗୋଟାଏ। ତାହା ହେଲା ମଣିଷକୁ ଅଭିଜ୍ଞତା ପ୍ରଦାନ କରିବା। ମଣିଷ ସେଥିରୁ କ’ଣ ଶିଖିଲା ଓ କେମିତି ଭାବେ ନିଜକୁ ବଦଳାଇଲା ବା ଗଢ଼ିଲା, ତାହା ସେହି ମଣିଷ ଉପରେ ନିର୍ଭର କରିବ। ଭଗବାନ ସେଥି ଲାଗି ଘଟଣା ପ୍ରବାହରେ ପରିବର୍ତ୍ତନ କରନ୍ତି ନାହିଁ।