ଥରେ ଲଗାତାର ବର୍ଷା ହେବାରୁ ଜଣେ କାଠୁରିଆ କାଠ କାଟି ପାରିଲେ ନାହିଁ। ଓଦା କାଠକୁ କିଏବା କିଣିବ? ତେଣୁ ସେ ତାଙ୍କ ପରିବାର ସହିତ ଉପାସ ରହିଲେ। ଦୁଇ ଦିନ ଉପାସରେ ରହିବା ପରେ ଅତିଷ୍ଠ ହୋଇପଡ଼ି େସ ତାଙ୍କ ଘର ପାଖ ମନ୍ଦିରକୁ ଗଲେ ଏବଂ ଭଗବାନଙ୍କୁ ଡାକିଲେ। ଏତିକି ବେଳେ ତାଙ୍କ ମୁଣ୍ଡରେ ଏକ ବୁଦ୍ଧି ଜୁଟିଲା। ସେ ମନ୍ଦିରର ଦେବତାଙ୍କ କାଠ ମୂର୍ତ୍ତିକୁ କାଟି ବିକ୍ରି କରିବାକୁ ସ୍ଥିର କଲେ। ମନ୍ଦିର ଶୂନଶାନ ଥିଲା। ସେ ମନ୍ଦିର ଭିତରକୁ ପଶି କୁରାଢ଼ି ଉଞ୍ଚାନ୍ତେ, ହଠାତ୍ ଦେବତା ଉଭା ହୋଇ ପଡ଼ି କହିଲେ- ମୋତେ କାଟନା। ମୁଁ ବର ଦେଉଛି ଯେ ପ୍ରତି ଦିନ ସକାଳେ ଉଠିଲା ବେଳକୁ ତୋତେ ସୁନା ଟିକିଏ ମିଳିବ।
ତାହା ହିଁ ହେଲା। ଏବଂ କ୍ରମେ କାଠୁରିଆ ଖୁବ୍ ଧନୀ ହୋଇଗଲେ। ସେହି ମନ୍ଦିରର ପୂଜକଙ୍କ ପତ୍ନୀ ଥିଲେ କାଠୁରିଆଙ୍କ ପତ୍ନୀଙ୍କ ସାଙ୍ଗ। ସେ ଦିନେ ଏଭଳି ଧନ ଲାଭ କରିବାର ଗୁମର ପଚାରିବାରୁ କାଠୁରିଆଙ୍କ ପତ୍ନୀ ତାଙ୍କୁ ସତ କଥାଟି କହିଦେଲେ। ଏବେ ପୂଜକଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କୁ ସେହି କଥା କହି ଏଭଳି ବର ଲାଭ କରିବାକୁ ପ୍ରବର୍ତ୍ତାଇଲେ।
ଠାକୁରଙ୍କ ପ୍ରତି ଏଭଳି େଦ୍ରାହ କରିବାକୁ ମନା କରୁଥିବା ପୂଜକଙ୍କୁ ତାଙ୍କ ପତ୍ନୀ ଏମିତି ବାଧ୍ୟ କଲେ ଯେ ତାଙ୍କର ଆଉ କୌଣସି ଉପାୟ ନ ଥିଲା। ସୁତରାଂ, ଦିନେ ରାତିରେ ପୂଜକ ମନ୍ଦିରରେ ପ୍ରବେଶ କରି ଥରଥର ହାତରେ କୁରାଢ଼ି ଉଞ୍ଚାନ୍ତେ ଠାକୁର ବାହାରି ଆସି କହିଲେ- ତୋ ଦେଇ ଏ କାମ ହେବ ବୋଲି ଭାବୁଛୁ କି? ତୁ ପାରିବୁ ନାହିଁ। ତୋର ହାତ କଂପୁଛି। ଏଭଳି କରିବା କାଠୁରିଆର ସ୍ବଧର୍ମ ହୋଇପାରେ, କିନ୍ତୁ ତୋର ହେବ ନାହିଁ। ତୁ ମୋତେ ପୂଜା କର। ଦରିଦ୍ର ହୋଇ ରହିବା ତୋର ଭାଗ୍ୟ। ତୁ ତା’ ଭଳି ହେବାକୁ ଚେଷ୍ଟା କରନା।