ଥରେ ଜେନ୍ ଗୁରୁ ହା ହୁଇ କିଛି କହୁଥିଲେ। ତାଙ୍କୁ ଶୁଣୁଥିବା ଶିଷ୍ୟମାନଙ୍କ ଭିତରେ ଉପସ୍ଥିତ ଥିଲେ ରାଜ୍ୟ ରାଜା।
ହା ହୁଇ ଦେଖିଲେ ଯେ ତାଙ୍କୁ ଶୁଣୁଥିବା ବେଳେ ନିଜ ଅଜାଣତରେ ରାଜା ନିଜ ପାଦ ହଲାଇ ଚାଲିଛନ୍ତି। ହା ହୁଇ ତାହା ଦେଖି ଚୁପ୍ ହୋଇଗଲେ। ସୁତରାଂ, ରାଜା ପ୍ରକୃତିସ୍ଥ ହୋଇଗଲେ ଏବଂ ପାଦ ହଲାଇବା ବନ୍ଦ କରିଦେଲେ। ହା ହୁଇ ପୁଣି କହିବା ଆରମ୍ଭ କଲେ। କିଛି ସମୟ ପରେ ରାଜା ପୁଣି ପାଦ ହଲାଇବାକୁ ଲାଗିଲେ। ହା ହୁଇ ତାଙ୍କ ପାଦ ଆଡ଼କୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ରହିବାରୁ ରାଜା ପୁଣି ପ୍ରକୃତିସ୍ଥ ହୋଇଗଲେ।
ହା ହୁଇ କହିଲେ- ଆପଣ ପାଦ ହଲାଉଛନ୍ତି କାହିଁକି?
ରାଜା କହିଲେ- ମୁଁ ଜାଣି ପାରୁନାହିଁ କେତେବେଳେ ପାଦ ହଲାଇ ଦେଉଛି। ମୁଁ ଆପଣଙ୍କ କଥା ମନଧ୍ୟାନ ଦେଇ ଶୁଣୁଥିବା ବେଳେ ପାଦ ଆପଣା ଛାଏଁ ହଲୁଛି।
ହା ହୁଇ କହିଲେ- ପାଦ ଆପଣଙ୍କର, ଅଥଚ ପାଦ କେତେବେଳେ ହଲି ଯାଉଛି ଜାଣି ପାରୁ ନାହାନ୍ତି? ତାହା ହେଲେ ତ ବିଷମ ସମସ୍ୟା। ଆପଣଙ୍କ ହାତ କେତେବେଳେ ଆପଣଙ୍କ ଅଜାଣତରେ କାହାର ଗଳା କାଟି ଦେଇଥିବ ଆଉ ଆପଣ ଜାଣି ନ ଥିବେ!
ହା ହୁଇ କହିଲେ ଯେ ପ୍ରକୃତ ଜୀବନ ସେତିକି ବେଳେ ବଞ୍ଚି ପାରିବା ଯେବେ ଆମେ ସର୍ବଦା ଜାଗ୍ରତ ହୋଇ ରହି ପାରିବା। କେବଳ ଆପଣ ଯଦି ସର୍ବଦା ଜାଗ୍ରତ ରହିବାର ଅଭ୍ୟାସ କରିବେ, ତେବେ କୌଣସି ଭୁଲ ହିଁ କରିବେ ନାହିଁ। ତେଣୁ ବାରମ୍ବାର ଭୁଲ କରି ତାକୁ ବାରମ୍ବାର ସୁଧାରିବା ଭଳି ସମସ୍ୟା ଜାତ ହେବ ନାହିଁ।