ଗଭୀରତାକୁ ଓହ୍ଲାଅ

କଥାଟିଏ - ଯାଯାବର

ମରୁଭୂମିରେ ଯାଉଥିବା ବେଳେ ସନ୍ଥ ଫରିଦଙ୍କୁ ଜଣେ ଶିଷ୍ୟ ପ୍ରଶ୍ନ କଲା- ଆପଣଙ୍କୁ ଆମେ ଯେଉଁ ପ୍ରଶ୍ନ କରୁ ତା’ର ଯଥାର୍ଥ ଉତ୍ତର ଆପଣ ପାଆନ୍ତି କେମିତି?

ମରୁଭୂମିରେ ଚାଲିଥିବା ବେଳେ ତୃଷାର୍ତ୍ତ ଫରିଦ ଏବ˚ ତାଙ୍କ ଶିଷ୍ୟ ଦଳ ପାଣିର ଏକ ଉତ୍ସ ଖୋଜୁଥିବା ବେଳେ ଜଣେ ଅତ୍ୟୁତ୍ସାହୀ ଶିଷ୍ୟ ଏମିତି ପ୍ରଶ୍ନଟିଏ ପଚାରିଦେଲା।

କିନ୍ତୁ ଜବାବରେ ସେ ଶୁଣିଲା ଯେ ଫରିଦ କହୁଛନ୍ତି- ମିଳିଗଲା।

କ’ଣ ମିଳିଗଲା ବୋଲି ଶିଷ୍ୟଟି ଭାବୁଥିବା ବେଳେ ଫରିଦ ଗୋଟିଏ ଦିଗକୁ ଆଙ୍ଗୁଳି ଦେଖାଇ କହିଲେ- ମିଳିଗଲା ପାଣି।
କିଛି ଦୂରରେ ଥିଲା ଗୋଟିଏ କୂଅ। କୂଅ ପାଖକୁ ଯାଇ ସେମାନେ ଦେଖିଲେ ଯେ ତାହା ଏତେ ଗଭୀର ଯେ ତଳ ଦିଶୁ ନାହିଁ। ଭିତରଟି କେବଳ କିଟିକିଟି ଅନ୍ଧାର।

ଶିଷ୍ୟମାନେ ପଚାରିଲେ- ଏଠି ପାଣି ଅଛି ତ?

ଫରିଦ କହିଲେ- ଜାଣିବା ଲାଗି ଭିତରକୁ ଓହ୍ଲାଇବାକୁ ହେବ।

ଜଣେ ଶିଷ୍ୟ ଥିଲା ଅପୂର୍ବ ସାହସୀ। କୂଅ କାନ୍ଥରେ ହୋଇଥିବା ପାଦରଖା ଉପରେ ପାଦ ଦେଇ ଅତି ସତର୍କତାର ସହ ସେ ଓହ୍ଲାଇଲା। କିଛି ସମୟ ପରେ ସେ ଉପରକୁ ଉଠିଲା। କୂଅରେ ପାଣି ଥିଲା।

ତୃଷା ମେଣ୍ଟାଇବା ପରେ ଫରିଦ ସେହି ଅତ୍ୟୁତ୍ସାହୀ ଶିଷ୍ୟକୁ କହିଲେ- କୂଅ ମୂଳରେ ଆମ ମନରେ ପ୍ରଶ୍ନଟିଏ ଥିଲା। କୂଅ ଭିତରକୁ ପଶି ଆମ ବନ୍ଧୁ ଯେତେବେଳେ ପ୍ରଥମେ ପାଣିକୁ ଛୁଇଁଲା, ତା’ ଭିତରୁ ପ୍ରଶ୍ନ ଚାଲିଗଲା ଓ ଉତ୍ତର ଉଭା ହେଲା। ତେଣୁ କୂଅ ମୂଳରେ ରହି ପ୍ରଶ୍ନର ଉତ୍ତର ଖୋଜିଲେ ହେବ ନାହିଁ। ଗଭୀରତାକୁ ଓହ୍ଳାଇବାକୁ ହେବ।

ସମ୍ବନ୍ଧିତ ଖବର