ସୁନ୍ଦର ସଂସାର

କଥାଟିଏ - ଯାଯାବର

ଆଲ୍‌ ସାବେର ଥିଲେ ଜଣେ ସୁଫି ସନ୍ଥ। କୌଣସି ଏକ ରୋଗରେ ପଡ଼ି ତାଙ୍କର ଅକାଳରେ ପରଲୋକ ହୋଇଥିଲା। ଆଲ୍‌ ସାବେରଙ୍କ ଜଣେ ବନ୍ଧୁ ଥିଲେ ଧର୍ମଶାସ୍ତ୍ର, ତର୍କଶାସ୍ତ୍ର ଓ ନୀତିଶାସ୍ତ୍ରରେ ପ୍ରବୀଣ। ଆଲ୍‌ ସାବେରଙ୍କ ଶେଷ ସମୟରେ ସେ ଶଯ୍ୟାଶାୟୀ ହୋଇ ରହିଥାଆନ୍ତି। ଏହି ସମୟରେ ତାଙ୍କୁ ଦେଖିବା ଲାଗି ଆସିଲେ ତାଙ୍କର ସେହି ଜ୍ଞାନୀ ବନ୍ଧୁ।

ସେ କହିଲେ- ସାବେର, ଦେଖ, ଏ ଦୁନିଆ କେତେ ପାପରେ ଭରା! ଏଠି ଦୁଷ୍ଟ ଲୋକେ ରାଜୁତି କରନ୍ତି। ଏଠି ଭଲ ଲୋକେ ଭଗବାନଙ୍କ ଦ୍ବାରା ତିଆରି ବିଚିତ୍ର ନିୟମ ଦ୍ବାରା ପୀଡ଼ିତ ହେଉଥାଆନ୍ତି। ତୁମେ ଏଭଳି ଏକ ଦୁନିଆକୁ ଛାଡ଼ି ଯାଉଛ, ତେଣୁ ଦୁଃଖ କର ନାହିଁ।

ଏହା ଶୁଣି ଆଲ୍‌ ସାବେର କହିଲେ- ବନ୍ଧୁ ମୋର ଏ ଦୁନିଆ ଛାଡ଼ି ଯିବାର ଦୁଃଖ ନାହିଁ। ଦୁଃଖ ଏୟା ଯେ ମୋର ମନବୋଧ ଲାଗି ତୁମେ ନିଜେ ଯେଉଁ ଦୁନିଆକୁ ଏତେ ଭଲ ପାଅ, ତାକୁ ଖରାପ ବୋଲି କହୁଛ। ମୁଁ ମଧ୍ୟ ଏ ଦୁନିଆକୁ ବହୁତ ଭଲ ପାଏ। କାରଣ ମୁଁ ଜାଣେ ଓ ତୁମେ ବି ଜାଣ ଯେ ତୁମେ ଯେମିତି କହୁଛ, ଏ ଦୁନିଆ ସେମିତି ନୁହେଁ। ଭଗବାନ ଏ ଦୁନିଆ ଗଢ଼ିବା ବେଳେ ଗୋଟିଏ କାମ କରିଛନ୍ତି ଯେଉଁଥିରେ ହିଁ ରହିଛି ଈଶ୍ବରଙ୍କ ବୁଦ୍ଧିର ପରିଚୟ। ଏ ଦୁନିଆରେ ସେ କୌଣସିଟିକୁ ଚିରସ୍ଥାୟୀ କରି ନାହାନ୍ତି। ଏଠି ପାପୀ ହେଉ କି ପୁଣ୍ୟାତ୍ମା; କେହି ହେଲେ ଚିର ଦିନ ଲାଗି ରହି ନ ଥାଏ। ତାହା ହିଁ ଏ ସୃଷ୍ଟିର ସୌନ୍ଦର୍ଯ୍ୟ।

ମୁଁ ଯଦି ଏବେ ସ˚ସାରକୁ ଛାଡ଼ି ଚିର ଦିନ ଲାଗି ଚାଲିଯିବି, ତେବେ ବି ମୋ ମୁହଁରେ ତୁମେ ହସ ଦେଖିବ। ଏ ସୁନ୍ଦର ସ˚ସାରରେ ମୋତେ ରହିବାକୁ ସୁଯୋଗ ଦେଇଥିଲେ ବୋଲି ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ।

ସମ୍ବନ୍ଧିତ ଖବର