ସାହସ ଜୁଟାଇ ପାରୁ ନ ଥିଲି

କଥାଟିଏ - ଯାଯାବର

ଗୋଟିଏ ସହରରେ ଦୁଇଟି ପରିବାର ଭିତରେ ପିଢ଼ି ପିଢ଼ି ଧରି ଶତ୍ରୁତା ଚାଲି ଆସିଥାଏ। ସେଇ କ୍ରମରେ ଅନେକ ରକ୍ତପାତ ଓ ହତ୍ୟା ବି ହୋଇ ସାରିଥାଏ। ଉଭୟ ପରିବାର ପ୍ରତିଶୋଧପରାୟଣ ହୋଇ ଅନ୍ୟ ପରିବାରର କାହାକୁ କେମିତି ଆକ୍ରମଣ କରିବେ ସେ ସୁଯୋଗ ଖୋଜି ବୁଲୁଥାନ୍ତି। ପୁଣି ଦୁଇଟି ଯାକ ପରିବାର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ କେହି କାହା ଠାରୁ କେମିତି କମ୍‌ ନୁହନ୍ତି ସେ କଥା ପ୍ରମାଣ କରିବାରେ ବ୍ୟସ୍ତ ଥାଆନ୍ତି।

ଗୋଟିଏ ପିଢ଼ିର ମୁଖ୍ୟଙ୍କ ମନରେ ଥରେ ଆସିଲା ଯେ ବହୁତ ହୋଇଗଲା। ଏବେ ଏଥିରେ ବିରାମ ଲାଗିବା ଦରକାର। ତେଣୁ ସେ ନିଜ ପରିବାର ପକ୍ଷରୁ ଅନ୍ୟ ପରିବାରର ମୁଖ୍ୟଙ୍କ ନିକଟରେ ପୂର୍ବର ସବୁ କିଛି ଲାଗି କ୍ଷମା ପ୍ରାର୍ଥନା କରିବାକୁ ସ୍ଥିର କଲେ। ତାଙ୍କ ପରିବାରର ଅନ୍ୟମାନେ ବିରୋଧ କଲେ ଏବ˚ କହିଲେ- ଆମେ ଏତେ ଦୁର୍ବଳ ନୁହେଁ ଯେ କ୍ଷମା ମାଗିବା। ପରିବାରର ମୁଖ୍ୟ କହିଲେ- ଏତିକି କରିବା ଲାଗି ଯେଉଁ ସାହସ ଲୋଡ଼ା ସେ କଥା ତୁମେମାନେ କେହି ବୁଝିପାରିବ ନାହିଁ। ସୁତରା˚, ଅପର ପକ୍ଷ ତାଙ୍କୁ କି ବ୍ୟବହାର ଦେଖାଇବେ ସେଥି ପ୍ରତି ଭ୍ରୂକ୍ଷେପ ନ କରି ସେ ଶତ୍ରୁ ପରିବାରର ମୁଖ୍ୟଙ୍କୁ ଭେଟି କ୍ଷମା ମାଗିଲେ।

ଅନ୍ୟ ପରିବାରର ସଦସ୍ୟମାନେ ତାଙ୍କୁ ଏତେ ପାଖରେ ପାଇ ଅପମାନ ଦେବା ସହିତ ଆକ୍ରମଣ କରିବାକୁ ବାହାରିଲା ବେଳେ ସେ ପରିବାରର ମୁଖ୍ୟ ସେମାନଙ୍କୁ ଅଟକାଇ ଦେଇ କ୍ଷମାପ୍ରାର୍ଥୀଙ୍କୁ ଆଲିଙ୍ଗନ କରି କହିଲେ- ମୁଁ ବି ତାହା ଚାହୁଁଥିଲି କିନ୍ତୁ ସାହସ କୁଳାଇ ପାରୁ ନ ଥିଲି।

ସମ୍ବନ୍ଧିତ ଖବର