କ୍ଷମା ମାଗିବାରେ ଶାନ୍ତି

କଥାଟିଏ - ଯାଯାବର

ଥରେ ଜେନ୍‌ ଗୁରୁ ନେନେଙ୍କ ପାଖକୁ ଜଣେ ଅନୁଗାମୀ ଆସିଲେ। କୌଣସି କାରଣରୁ ପତ୍ନୀଙ୍କ ସହିତ କଳହ କରି ରାଗ ତମତମ ହୋଇ ସେ ଆସିଥିଲେ। ନେନେଙ୍କ ଘରକୁ ପଶିବା ବେଳେ ସେ ଜୋରରେ କବାଟ ଖୋଲିଲେ ଏବ˚ ଖୁବ୍‌ ଜୋରରେ ବାଡ଼େଇ ତାକୁ ବନ୍ଦ କଲେ। ତା’ ପରେ ଜୋତା ଦୁଇଟିକୁ ଏମିତି ଛାଟି ଦେଇ ରଖିଲେ ଯେ ତହିଁରୁ ବାରି ହୋଇ ପଡ଼ିଲା ଯେ ରାଗ ପୂରା ମନ ଭିତରକୁ ଚରି ଯାଇଛି।

ତା’ ପରେ ସେ ନେନେଙ୍କୁ ମୁଣ୍ତ ଝୁଙ୍କାଇ ଅଭିବାଦନ କଲେ।

କିନ୍ତୁ, ନେନେ କହିଲେ- ଏ ଅଭିବାଦନ ମୁଁ ସ୍ବୀକାର କରିବି ନାହିଁ। ପ୍ରଥମେ ତୁମେ କବାଟକୁ ଭୁଲ୍‌ ମାଗ ଏବ˚ ଆଣ୍ଠେଇ ପଡ଼ି ଜୋତାରେ ମୁଣ୍ତ ଲଗାଇ କ୍ଷମା ପ୍ରାର୍ଥନା କର।

ଅନୁଗାମୀ ଜଣକ ଏହା ଶୁଣି ଇତସ୍ତତଃ ହେଲେ। ସେ କହିଲେ- ଏମିତି କାହିଁକି? କବାଟ ଓ ଜୋତା ତ ନିର୍ଜୀବ! ମୁଁ ସେମାନଙ୍କୁ କ୍ଷମା ମାଗିବି କୋଉଥି ପାଇଁ?

ନେନେ କହିଲେ- ରାଗ ପ୍ରକଟ କଲା ବେଳେ ତ ତାହା ଭାବିଲ ନାହିଁ। ଏବେ କ୍ଷମା ମାଗିବାକୁ କହିବାରୁ ଏମିତି କାହିଁକି ଭାବୁଛ? ତୁମେ ଘରକୁ ପଶିବା ବେଳେ କବାଟ ଓ ଜୋତା ସହିତ ଯେମିତି ଆଚରଣ କଲ, ସେଥିରୁ ଲାଗିଲା ଯେ ସେମାନଙ୍କର ଜୀବନ ଅଛି ଓ ତୁମେ ସେମାନଙ୍କ ଉପରେ ତୁମ ରାଗ ଶୁଝାଇ ପାରୁଛ ବୋଲି ଶାନ୍ତି ପାଉଛ। ତେଣୁ ସେମିତି ଭାବି କ୍ଷମା ମାଗ।

ଅନୁଗାମୀ ଜଣକ ଆଉ କିଛି ଉପାୟ ନ ପାଇ କବାଟ ଓ ଜୋତାକୁ କ୍ଷମା ମାଗିଲେ।

ତା’ ପରେ ସେ ନେନେଙ୍କୁ କହିଲେ- ସତ କହୁଛି କବାଟ ଓ ଜୋତାକୁ କ୍ଷମା ମାଗିଲା ବେଳେ ଯେଉଁ ମାନସିକ ଶାନ୍ତି ପାଇଲି, ତାହା ଅବର୍ଣ୍ଣନୀୟ।

ସମ୍ବନ୍ଧିତ ଖବର