ବୁଦ୍ଧଙ୍କ ଉତ୍ତର

କଥାଟିଏ - ଯାଯାବର

ଅନେକ ସମୟରେ ଗୌତମ ବୁଦ୍ଧ ମୌନ ହୋଇଯାଆନ୍ତି। କିଛି କ୍ଷଣ ଆଗରୁ କୌଣସି ବିଷୟରେ କହୁଥିବା ବୁଦ୍ଧ ହଠାତ୍‌ ମୌନ ହୋଇଗଲେ ତାଙ୍କ ଶିଷ୍ୟମାନେ ବ୍ୟସ୍ତ ହୋଇ ପଡ଼ନ୍ତି। ବୁଦ୍ଧଙ୍କ ମୌନତା ଅନେକ ସମୟ ପର୍ଯ୍ୟନ୍ତ ରହେ। ଶିଷ୍ୟମାନେ ନିଜ ଭିତରେ ଏ ବିଷୟରେ ଆଲୋଚନା କରନ୍ତି, ବ୍ୟସ୍ତତା ପ୍ରକଟ କରନ୍ତି। ବୁଦ୍ଧ ତ ମୌନ। ତେଣୁ କିଛି ଉତ୍ତର ଦିଅନ୍ତି ନାହିଁ।

ଦିନେ ବୁଦ୍ଧଙ୍କୁ ଏ ବିଷୟରେ ଶିଷ୍ୟମାନେ ପଚାରିଲେ।

ବୁଦ୍ଧ ସ୍ମିତ ହସି କହିଲେ- ତୁମେ ଯେ କୌଣସି ଭାଷାକୁ ବୁଝିପାର କେମିତି? କାରଣ ତୁମର ସେଇ ଭାଷା ବିଷୟରେ ଜ୍ଞାନ ଥାଏ। ସେମିତି ମୌନତାକୁ ବୁଝିବାକୁ ହେଲେ ମୌନତା ବିଷୟରେ ବି ଜ୍ଞାନ ଥିବା ଦରକାର।

ଜଣେ ଶିଷ୍ୟ କହିଲା- କିନ୍ତୁ ମୌନତା ବିଷୟରେ ତ ଆମେ ବୁଝୁ। ଏହା ‌ହେଉଛି ନିରବତା।

ବୁଦ୍ଧ ହସିଲେ ଓ କହିଲେ- ତାହା ହେଲେ, ତୁମମାନଙ୍କ ଧାରଣା ଯେ ମୌନତା ହେଉଛି ନିରବତା। ତା’ ଅର୍ଥ ମୌନତା ହେଉଛି ଶବ୍ଦହୀନତା ଓ ଅଭିବ୍ୟକ୍ତିହୀନତା। କିନ୍ତୁ ପ୍ରକୃତରେ ମୌନତା ମଧୢ ହେଉଛି ଗୋଟିଏ ଭାଷା। ତା’ର ବି ଅଭିବ୍ୟକ୍ତି ରହିଛି। ମୌନତାକୁ ବୁଝିବା ଲାଗି ମୌନତା ବାବଦରେ ଜ୍ଞାନ ଥିବା ଆବଶ୍ୟକ। ତୁମମାନଙ୍କ ଭିତରୁ ଯିଏ ମୌନତାର ଭାଷା ବୁଝିବାକୁ ସମର୍ଥ ସେ କେବଳ ତା’ର ଗଭୀରତାକୁ ମାପି ପାରିବ ଓ ସବୁ ବୁଝି ପାରିବ।

ସମ୍ବନ୍ଧିତ ଖବର