ମୁଲ୍ଲାଙ୍କ ପରାମର୍ଶ

କଥାଟିଏ - ଯାଯାବର

ଥରେ ଦୂର ସ୍ଥାନରୁ ଜଣେ ବ୍ୟବସାୟୀ ପହଞ୍ଚିଲେ ମୁଲ୍ଲା ନସିରୁଦ୍ଦିନଙ୍କ ଗାଁରେ। ସେ ଗୋଟିଏ ଦୋକାନ ଖୋଲିବା ଲାଗି ଉପଯୁକ୍ତ ସ୍ଥାନ ଖୋଜିଲେ। ଯାହାକୁ ବି ପଚାରିଲେ, ସେ କହିଲା- ଆମ ଗାଁରେ ନୂଆ ଦୋକାନ ଲାଗି ଆଉ ସୁଯୋଗ ନାହିଁ। କାରଣ ଗାଁରେ ଯେତିକି ଲୋକ ରହନ୍ତି, ତା’ ତୁଳନାରେ ବହୁତ ଅଧିକ ଦୋକାନ ହୋଇ ଗଲାଣି। ତେଣୁ ଆଉ କୌଣସି ନୂଆ ଦୋକାନ ଚାଲିବ ନାହିଁ। ବେପାରୀ ଜଣକ ହତାଶ ହେଲେ।

ତେବେ, ଏଇ ସମୟରେ ତାଙ୍କୁ ଜଣେ କେହି କହିଲେ ତୁମେ ମୁଲ୍ଲା ନସିରୁଦ୍ଦିନଙ୍କ ଠାରୁ ଏ ସଂପର୍କରେ ପରାମର୍ଶ ନିଅ। ସୁତରା˚, ସେ ମୁଲ୍ଲାଙ୍କୁ ଏ ବିଷୟରେ ପଚାରିଲେ।

ମୁଲ୍ଲା ପଚାରିଲେ- ତୁମେ କିଭଳି ବ୍ୟବସାୟ କରିବାକୁ ଚାହୁଁଛ?

ବ୍ୟବସାୟୀ କହିଲେ- ମୁଁ ଏକ ଦୋକାନ ଖୋଲିବି ବୋଲି ଭାବୁଛି।

ମୁଲ୍ଲା କହିଲେ- ତାହା ହେଲେ ତୁମକୁ ତିନିଟି କଥା ଉପରେ ଧ୍ୟାନ ଦେବାକୁ ହେବ। ପ୍ରଥମ କଥା ଭଲ ଜିନିଷ ବିକିବ। ଦ୍ବିତୀୟ କଥା କେବେ କାହାକୁ ଠକିବ ନାହିଁ। ତୃତୀୟ‌େର ଅଯଥା ଅଧିକ ଲାଭ ରଖିବ ନାହିଁ।

ଏହା ଶୁଣି ବ୍ୟବସାୟୀ କହିଲେ- ମୁଁ ପ୍ରସ୍ତୁତ। କିନ୍ତୁ ଗାଁର କେଉଁଠି ତାହା ଖୋଲିବି?

ମୁଲ୍ଲା କହିଲେ- ପରୁଆ ନାହିଁ। ଏବେ ତୁମେ ଯେଉଁଠି ଇଚ୍ଛା ‌ଦୋକାନ ଖୋଲ, ତାହା ଚାଲିବ।

ସମ୍ବନ୍ଧିତ ଖବର