ପ୍ରକୃତ ମାଲିକ

କଥାଟିଏ - ଯାଯାବର

ଗ୍ରୀକ୍ ଦାର୍ଶନିକ ଡିଓଜିନସ୍‌ କୁଳୀନ ଓ ଧନୀକ ପରିବାରରେ ଜନ୍ମ ନେଇଥିଲେ, କିନ୍ତୁ ଦିନେ ସବୁ ଛାଡ଼ି ଦାରିଦ୍ର୍ୟକୁ ବରଣ କରିନେଲେ ଓ ଗୋଟିଏ ନଦୀ କୂଳରେ କୁଡ଼ିଆ କରି ରହିବାକୁ ଲାଗିଲେ। ଧନୀ ପରିବାରରେ ଜନ୍ମ ହୋଇଥିବା କାରଣରୁ ତାଙ୍କ ଜୀବନରେ ସେ କୌଣସି କାମ କରି ନ ଥିଲେ। ତେଣୁ ସାଙ୍ଗରେ ଜଣେ ଚାକର ନେଇ ଆସିଥିଲେ। ଚାକରଟି ତାଙ୍କର କାମଦାମ କରୁଥିଲା ଏବଂ ତାଙ୍କୁ ମାଲିକ ବୋଲି ସମ୍ବୋଧନ କରୁଥିଲା।

ଦିନକର କଥା ସେହି ଚାକରଟି ମଧ୍ୟ ତାଙ୍କୁ ଛାଡ଼ି ପଳାଇ ଗଲା। ଡିଓଜିନସ୍‌ ପ୍ରଥମେ ଟିକିଏ ବିଚଳିତ ହୋଇଗଲେ। କିନ୍ତୁ ତାଙ୍କ ମନରେ ସହସା ଗୋଟିଏ ନୂଆ ଭାବନା ଉଦ୍ରେକ ହେଲା। ସେ ମନେ ମନେ ଭାବିଲେ: ମୋ ଦାସଟି ତ ମୋତେ ମାଲିକ ବୋଲି ସମ୍ବୋଧନ କରୁଥିଲା; କିନ୍ତୁ ପ୍ରକୃତରେ ବିଚାର କଲେ ମୁଁ ଦାସ, ସେ ମୋ ମାଲିକ ଥିଲା! କାରଣ ସେ ମୋ ବିନା ଜିଇ ପାରିବ ବୋଲି ମୋତେ ଛାଡ଼ିଦେଲା। ତେଣୁ ସେ ମୋ ଉପରେ ନିର୍ଭରଶୀଳ ନୁହେଁ। ଅଥଚ ମୁଁ ତା ବିନା ଚଳି ନ ପାରିବା ଭଳି ହେଉଛି, ଅର୍ଥ ମୁଁ ତା ଉପରେ ନିର୍ଭରଶୀଳ। ତା’ର ଅର୍ଥ ମୁଁ ତାର ଅଧୀନ।

ଏହା‌ ପ‌େର ତାଙ୍କ ମନରୁ ସବୁ ବିଚଳିତ ଭାବ ଉଭେଇ ଗଲା। ସେ ଭାବିଲେ ଯେ ସେ ଏବେ କାହା ଉପରେ ନିର୍ଭର ନ କରି ଚଳିବେ। ସେ ପ୍ରକୃତରେ ଜଣେ ମାଲିକ ହେବେ। ଏ ପର୍ଯ୍ୟନ୍ତ ସେ ଓ ତାଙ୍କ ପରିବାର ଯାହା ଶହ ଶହ ଚାକରଙ୍କ ଉପରେ ନିର୍ଭରଶୀଳ, ପ୍ରକୃତରେ ମାଲିକ ନୁହେଁ, ଦାସ ହିଁ ଥିଲେ।

ସମ୍ବନ୍ଧିତ ଖବର