ତିନି ସନ୍ଥ

କଥାଟିଏ - ଯାଯାବର

ଟଲଷ୍ଟୟଙ୍କ ଏକ ଗଳ୍ପ।

ଜଣେ ପାଦ୍ରି ଦେଖିଲେ ଯେ ତାଙ୍କ ଚର୍ଚ୍ଚକୁ ଲୋକେ ଆସୁ ନାହାନ୍ତି। କାରଣ ତିନି ଜଣ ସନ୍ଥଙ୍କ ଆବିର୍ଭାବ ଘଟିଛି; ଲୋକେ ସେମାନଙ୍କ ପାଖକୁ ଯାଉଛନ୍ତି। ପାଦ୍ରି ନିଜର ଚମକଦାର ପୋଷାକ ପରିଧାନ କରି ସେହି ତିନି ସନ୍ଥଙ୍କୁ ଭେଟିବା ଲାଗି ଗଲେ।

ସେଠାରେ ସେ ଦେଖିଲେ ଯେ ତିନି ମଳିମୁଣ୍ଡିଆ ଲୋକେ ଗୋଟିଏ ଗଛ ମୂଳରେ ବସିଛନ୍ତି। ପାଦ୍ରି କହିଲେ- ମୁଁ ‌େହଉଛି ପାଦ୍ରି। ତୁମେମାନେ କ’ଣ ସେହି ତିନି ସନ୍ଥ!

ସେମାନେ କହିଲେ- ହେ ମହାତ୍ମା, ଆମେ ପୁଣି ସନ୍ଥ? କିଏ କହିଲା? ଏ ଗାଁ ‌େଲାକ ନିର୍ବୋଧ। ଆମେ ଯେତେ ମନା କଲେ ବି ସେମାନେ ମାନିବାକୁ ନାରାଜ।

ପାଦ୍ରି କହିଲେ- ହେଲା, ଏଠି ବସି କ’ଣ କରୁଛ?

ସେମାନେ ଉତ୍ତର ଦେଲେ – ପ୍ରାର୍ଥନା କରୁଛୁ।

ପାଦ୍ରି କହିଲେ- ତୁମ ପ୍ରାର୍ଥନା ଶୁଣାଅ ତ?

ସେମାନେ ଲଜ୍ଜାନତ ଭାବେ କହିଲେ- ଆପଣ ଧର୍ମଯାଜକ ଆଉ ଆମେ ମୂର୍ଖ। ଆପଣଙ୍କୁ କ’ଣ ଶୁଣାଇବୁ? ତେବେ ଶୁଣନ୍ତୁ- ହେ ଈଶ୍ବର, ତୁମେ ତିନି (ଖ୍ରୀଷ୍ଟ ଧର୍ମର ବିଶ୍ବାସାନୁସାରେ ପିତା, ପୁତ୍ର ଓ ପବିତ୍ର ଆତ୍ମା) ଓ ଆମେ ତିନି। ଆମକୁ କୃପା କର।

ପାଦ୍ରି ମୁଣ୍ଡରେ ହାତ ଦେଇ କହିଲେ- ହେ ଭଗବାନ, ଏମିତି ପ୍ରାର୍ଥନା‌ କରୁଛ? ହାୟ! ଏବେ ମୋ ଠୁ ଭଲ ପ୍ରାର୍ଥନା ଶିଖ।

ଏହା କହି ପାଦ୍ରି ଗୋଟିଏ ଭଲ ପ୍ରାର୍ଥନା ଶିଖାଇଲେ। ତିନି ଜଣ ଯାକ ବାରମ୍ବାର ଶୁଣି ତାକୁ ଘୋଷିଲେ। ଯେତେବେଳେ ପାଦ୍ରିଙ୍କୁ ଲାଗିଲା ଯେ ପ୍ରାର୍ଥନା ମନେ ରହିଗଲା ସେ ଫେରିବାକୁ ବାହାରିଲେ।

ବାଟରେ ପଡୁଥିବା ନଈକୁ ଡଙ୍ଗାରେ ପାର ହେଉଥିବା ବେଳେ ହଠାତ୍‌ ପାଟି ଶୁଣି ସେ ପଛକୁ ଚାହାନ୍ତେ, ଦେଖିଲେ ଯେ ସେହି ତିନି ଜଣ ଯାକ ପାଣି ଉପରେ ‌ଦୌଡ଼ି ଦୌଡ଼ି ଆସୁଛନ୍ତି। ପାଦ୍ରିଙ୍କ ହୋସ ଉଡ଼ିଗଲା। ତିନିହେଁ ଡଙ୍ଗା କଡ଼ରେ ଧାଉଁ ଧାଉଁ ଅତି ବିକଳରେ ପାଦ୍ରିଙ୍କୁ କହିଲେ- ଆଜ୍ଞା‌, ଆଉ ଥରେ କହି ଦିଅନ୍ତୁ, ଆମେ ପ୍ରାର୍ଥନା ଭୁଲିଗଲୁ।

ପାଦ୍ରି ଏବେ ସେମାନଙ୍କ ଗୋଡ଼ ତଳେ ପଡ଼ିଯାଇ କହିଲେ- ଆପଣଙ୍କ ପ୍ରାର୍ଥନା ସବୁଠାରୁ ଭଲ। ମୁଁ ମୂର୍ଖ ଆପଣମାନଙ୍କୁ ଶିଖାଇବାକୁ ବସିଥିଲି।

ସମ୍ବନ୍ଧିତ ଖବର