ଓଲଟା ମୁଣ୍ଡିଆ ମୁଲ୍ଲା

କଥାଟିଏ - ଯାଯାବର

ପିଲା ଦିନରୁ ମୁଲ୍ଲା ନସିରୁଦ୍ଦିନ ଥିଲେ ଓଲଟା ମୁଣ୍ଡିଆ; ଅର୍ଥାତ୍‌ ତାଙ୍କୁ ଯାହା କରିବାକୁ କୁହାଯିବ, ସେ ତା’ର ଓଲଟା କରିବେ। ତେଣୁ ପିଲା ଦିନୁ ତାଙ୍କ ବାପା, ମା’ ଯାହା କିଛି ତାଙ୍କ ଦ୍ବାରା କରାଇବାକୁ ଚାହୁଁଥିଲେ, ତା’ର ଓଲଟାଟି କରିବାକୁ କହୁଥିଲେ। ଉଦାହରଣ ସ୍ବରୂପ ସେ ଚୁପ୍‌ ହୋଇ ବସନ୍ତୁ ବୋଲି ଚାହିଁଲେ ତାଙ୍କ ବାପା କହୁଥିଲେ- ପାଟି କର। ମୁଲ୍ଲା ଚୁପ୍‌ ହୋଇ ବସୁଥିଲେ।

ନସିରୁଦ୍ଦିନ ବଡ଼ ହେଲେ। ଦିନକର କଥା। ସେ ଓ ତାଙ୍କ ବାପା ଦୁଇଟି ଖଚର ପିଠିରେ ବସି ଯାଉଥିଲେ। ଏକ ଛକରେ ବାଁ ଆଡ଼କୁ ଯିବାର ଥିଲା, ତ ମୁଲ୍ଲାଙ୍କ ବାପା କହିଲେ ଡାହାଣକୁ ମୋଡ଼। କିନ୍ତୁ ଏଥର ତାଙ୍କୁ ଚକିତ କରି ମୁଲ୍ଲା ଡାହାଣକୁ ହିଁ ମୋଡ଼ିଲେ। ତାଙ୍କ ବାପା ହାଁ ହାଁ କହି ତାଙ୍କୁ ଅଟକାଇଲେ ଓ ପଚାରିଲେ- ଆରେ ଏମିତି କେମିତି ହେ‌ଲା?

ମୁଲ୍ଲା କହିଲେ- ମୁଁ ସାବାଳକ ହୋଇଗଲିଣି। ତେଣୁ ତୁମର ସବୁ ଫନ୍ଦି ବୁଝିଗଲିଣି। ଏଣିକି ତୁମେ କହୁଥିବା କଥାର ନୁହେଁ, ତୁମେ ଯାହା ମୋ ଦ୍ବାରା କରାଇବାକୁ ଚାହୁଁଛ, ତା’ର ଓଲଟା କରିବି।

ମୁଲ୍ଲାଙ୍କ ବାପା ବି ଥିଲେ ଚତୁର। ତେଣୁ ସେ ଏଣିକି ଯଦି ଚାହୁଁଥିଲେ ‌େଯ ମୁଲ୍ଲା ଡାହାଣ ଦିଗକୁ ମୋଡ଼ନ୍ତୁ ତେବେ ସେ କହୁଥିଲେ- ଡାହାଣ ଦିଗକୁ ମୋଡ଼। ଓଲଟା ମୁଣ୍ଡିଆ ମୁଲ୍ଲା ଭାବୁଥିଲେ- ବାପା ସିନା କହୁଛନ୍ତି ଡାହାଣ ଆଡ଼କୁ ମୋଡ଼ିବା ଲାଗି, କିନ୍ତୁ ସେ ମନେ ମନେ ଚାହୁଛନ୍ତି ଯେ ମୁଁ ବାମ ଆଡ଼କୁ ମୋଡ଼େ। ତେଣୁ ମୁଁ ଡାହାଣ ଆଡ଼କୁ ମୋଡ଼ିବି।

ଏଇଭଳି ମୁଲ୍ଲା ପ୍ରକୃତରେ ସିଧା କାମ କଲେ। କିନ୍ତୁ ତାଙ୍କ ହିସାବରେ ସେ ଓଲଟା କରୁଛନ୍ତି ବୋଲି ଭାବି ଖୁସି ହେଉଥିଲେ।

ସମ୍ବନ୍ଧିତ ଖବର