ଆକର୍ଷଣ କଟି ନାହିଁ

କଥାଟିଏ - ଯାଯାବର

ଜଣେ ଧନୀ ବଣିକ ରାମକୃଷ୍ଣ ପରମହଂସଙ୍କ ପାଖକୁ ଆସି ତାଙ୍କ ପାଦ ତଳେ ଏକ ମୁଣି ରଖିଦେଲେ, ଯହିଁରେ ଥିଲା ଏକ ହଜାର ସ୍ବର୍ଣ୍ଣ ମୁଦ୍ରା। ରାମକୃଷ୍ଣ ଏହା ଜାଣି ପାରି ସେହି ବଣିକଙ୍କୁ କହିଲେ- ଏହା ପ୍ରତି ତୁମର ମୋହ ତୁଟି ନାହିଁ। ତେଣୁ ଏ ସବୁକୁ ଫେରସ୍ତ ନେଇଯାଅ।

ବଣିକ କହିଲେ- ନା, ନା। ମୋର ଏହା ପ୍ରତି କୌଣସି ଲୋଭ ଓ ମୋହ ନାହିଁ। ମୁଁ ଏହା ଆପଣଙ୍କୁ ଦେଇ ସାରିଛି।

ରାମକୃଷ୍ଣ କହିଲେ- ତାହା ହେଲେ ଗୋଟିଏ କାମ କର। ଏହି ମୁଦ୍ରା ସବୁକୁ ଗଙ୍ଗାରେ ବିସର୍ଜନ କରି ଦିଅ।

ବଣିକଙ୍କ ମୁହଁ ଶୁଖିଗଲା। ସେ କହିଲେ- ମୁଁ ଏହା ଆପଣଙ୍କ ଲାଗି ଦେଇଥିଲି! ତାକୁ ଗଙ୍ଗାରେ ଢାଳିବା ଲାଗି ନୁହେଁ।

ରାମକୃଷ୍ଣ କହିଲେ- ସେଥି ଲାଗି ତ କହୁଛି, ତୁମେ ଏହାକୁ ନେଇ ଯାଅ। କାରଣ ଏହା ପ୍ରତି ତୁମର ମୋହ ତୁଟି ନାହିଁ। ତୁମେ ଏ ସବୁ ମୋତେ ଦେଇ ସାରିଛ ଓ ତୁମର ଏହା ପ୍ରତି କୌଣସି ଆକର୍ଷଣ ନାହିଁ ଯଦି ପୁଣି କାହିଁକି ଏହାକୁ ନେଇ ମୁଁ କ’ଣ କଲି ସେଥିରେ ତୁମେ ହସ୍ତକ୍ଷେପ କରୁଛ? ତେଣୁ ମୁଁ କହୁଚି ଏହା‌କୁ ଗଙ୍ଗାରେ ବିସର୍ଜନ କରିଦିଅ। କାରଣ ମୋ ଲାଗି ସୁବର୍ଣ୍ଣର କୌଣସି ମୂଲ୍ୟ ନାହିଁ।

ଅଗତ୍ୟା ବଣିକ ମୁଣି ନେଇ ଗଙ୍ଗା କୂଳକୁ ଗଲେ। ସ୍ବର୍ଣ୍ଣ ମୁଦ୍ରାଗୁଡ଼ିକୁ ଗଙ୍ଗାକୁ ଫିଙ୍ଗିବା ବେଳକୁ ତାଙ୍କ ଆଖିରେ ଲୁହ ଜମିଗଲା। ସେ ଗୋଟି ଗୋଟି କରି ଗଣି ଗଣି ତାହା ଫିଙ୍ଗିଲେ। ରାମକୃଷ୍ଣ ଦୂରରୁ ତାହା ଦେଖି ପାରି କହିଲେ- ଆକର୍ଷଣ ସରି ନାହିଁ ବୋଲି କେତେ କଷ୍ଟ ପାଉଛି। ଏକା ଥରକେ ଯାହାକୁ ଫିଙ୍ଗି ଦେଇ ହେବ ତାକୁ ସେ କେମିତି ଧୀରମନ୍ଥର ଭାବେ ପକାଉଛି। ସେ ତେବେ ମୋତେ ତାହା ଦେଉଥିଲା କାହିଁକି?

ସମ୍ବନ୍ଧିତ ଖବର