ଦ୍ବାରପାଳଙ୍କ ଉତ୍ତର

କଥାଟିଏ - ଯାଯାବର

ରାଜାଙ୍କର ଯେଉଁ ବିଶ୍ବସ୍ତତମ ଭୃତ୍ୟ ତାଙ୍କ ଦାୟିତ୍ବରୁ ଅବ୍ୟାହତି ନେଲେ ରାଜାଙ୍କୁ ଅନୁରୋଧ କଲେ ଯେ ତାଙ୍କ ପୁଅକୁ କୌଣସି ଏକ କାମରେ ଲଗାଇ ଦିଅନ୍ତୁ। ଭୃତ୍ୟଙ୍କ ପୁଅଟି ବଗୁଲିଆ ହୋଇ ବୁଲୁଥିବାରୁ ରାଜା ତାକୁ ଭିତର ପ୍ରାସାଦର କାମ ନ ଦେଇ ତାକୁ ଦ୍ବାର ରକ୍ଷକ ଭାବେ ରଖିଦେଲେ।

କିଛି ଦିନ ପରେ କୌଣସି ଏକ କାରଣରୁ ରାଜା ତାଙ୍କର ପୁରୁଣା ବିଶ୍ବସ୍ତତମ ଭୃତ୍ୟଙ୍କୁ ଡକାଇଲେ। ରାଜପ୍ରାସାଦର ସମସ୍ତେ ଥିଲେ ତାଙ୍କର ଜଣାଶୁଣା। ତେଣୁ ସେ ପହଞ୍ଚୁ ପହଞ୍ଚୁ ରାଜପ୍ରାସାଦର ଅନ୍ୟାନ୍ୟ କର୍ମଚାରୀମାନେ ତାଙ୍କୁ ବେଢ଼ିଗଲେ। ସେମାନଙ୍କ ସହିତ କଥାବାର୍ତ୍ତା କରୁ କରୁ ଦ୍ବାର ଦେଇ ଭିତରକୁ ପ୍ରବେଶ କଲା ବେଳକୁ ବାଟରେ ଅଟକାଇଲା ତାଙ୍କ ପୁଅ।

ସେ କହିଲା- ଆପଣଙ୍କ ସ˚ପୂର୍ଣ୍ଣ ତନଖି ନେବାକୁ ଚାହିଁବି!

ଭୃତ୍ୟ କହିଲେ- କିନ୍ତୁ ପୁଅ….?

ହେଲେ, କିଛି କହିବାକୁ ନ ଦେଇ ପୁଅ ତାଙ୍କର ତନଖି ନେବା ପରେ ଯାଇ ଭିତରକୁ ଛାଡ଼ିଲା।

ଭୃତ୍ୟଙ୍କୁ ଏହା ଖରାପ ଲାଗିଲା। ରାଜାଙ୍କ ସହିତ ତାଙ୍କର କଥାବାର୍ତ୍ତା ସରିବା ପରେ ଭୃତ୍ୟ କହିଲେ- ମଣିମା, ଆଜି ପୁଅ ଦ୍ବାରା ଅପଦସ୍ଥ ହେଲି।
ରାଜା କଥା କ’ଣ ବୋଲି ଜାଣିବାକୁ ଚାହିଁବାରୁ ସେ ସବୁ କଥା କହିଲେ। ଏହା ଶୁଣି ରାଜା ସାଙ୍ଗେ ସାଙ୍ଗେ ତ କିଛି କହିଲେ ନାହିଁ, ପରେ ଭୃତ୍ୟଙ୍କ ପୁଅକୁ ଡାକି କହିଲେ- ଏ କି ପ୍ରକାର କଥା। ସେ ମୋର ବିଶ୍ବସ୍ତତମ ଭୃତ୍ୟ। ତାଙ୍କ ଉପରେ ମୁଁ ଆଖି ବୁଜି ବିଶ୍ବାସ କରିପାରେ। ସେ ମୋ ଲାଗି ନିଜ ଜୀବନ ଦେଇ ପାରିବେ। ସେ ପୁଣି ତୁମର ପିତା। ତାଙ୍କ ସହିତ ଏ କି ବ୍ୟବହାର?

ପୁଅ କହିଲା- ମଣିମା, ମୁଁ ଆଦୌ ଭୁଲିନାହିଁ ଯେ ସେ ଆପଣଙ୍କର ବିଶ୍ବସ୍ତତମ। ଏହା ବି ଜାଣେ ସେ ମୋର ପିତା। ଯେହେତୁ ସେ ମୋର ପିତା ତାଙ୍କ ସମ୍ମାନ ରକ୍ଷା କରିବା ମୋର ଦାୟିତ୍ବ। ତେଣୁ ତାଙ୍କର ତନଖି ନେଲି। ନ ହେଲେ ଆଙ୍ଗୁଳି ଉଠି ନ ଥାଆନ୍ତା କି ମୁଁ ମୋ କର୍ତ୍ତବ୍ୟ ସ˚ପାଦନରେ ଖିଲାପ କଲି? ତାହା ତାଙ୍କର ଅସମ୍ମାନ ହୁଅନ୍ତା।

ସମ୍ବନ୍ଧିତ ଖବର