ଆଜି ଅଛି, କାଲି ନାହିଁ
କଥାଟିଏ - ଯାଯାବର
ଜେନ୍ ଗୁରୁ ନେନେ ରହୁଥିଲେ ଗୋଟିଏ କୁଡ଼ିଆରେ। ଆସବାବପତ୍ର ବୋଲି ତାଙ୍କର କିଛି ନ ଥିଲା। ଘରେ କବାଟ ଲାଗି ନ ଥିଲା। ସେ କହୁଥିଲେ ମୁଁ ନିଜେ ଗୋଟିଏ ଯାତ୍ରୀ ଏବଂ ଏ ଘରଟି ଏକ ସରାଇଖାନା। ତେଣୁ ଏତେ ଆଡ଼ମ୍ବର କରିବି କାହିଁକି? ଯାହା ଅଛି ସେମିତି ଥାଉ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ନେନେଙ୍କ ପାଖରେ ଥିଲା କିଛି ଅତି ବିରଳ ପାଣ୍ଡୁଲିପି। ସେ ସବୁକୁ ନେନେ ବହୁତ ଭଲ ପାଉଥିଲେ। ସେ ସବୁ ରହୁଥିଲା ଘରର ଗୋଟିଏ ଥାକରେ। ନେନେ ଅନେକ ସମୟରେ ତହିଁରୁ କିଛି ବାହାର କରି ପଢୁଥିଲେ ଏବଂ ଝଡ଼ାଝଡ଼ି କରୁଥିଲେ। ନେନେଙ୍କ ଶିଷ୍ୟମାନେ ପରସ୍ପର ଭିତରେ କଥା ହେଉଥିଲେ ଯେ ଗୁରୁଙ୍କର ଗୋଟିଏ ପାର୍ଥିବ ଆକର୍ଷଣ ରହିଛି। ସେଗୁଡ଼ିକ ହେଉଛି ଏ ପାଣ୍ଡୁଲିପି।
ଦିନକର କଥା। ଦୈବାତ୍ କୁଡ଼ିଆରେ ନିଆଁ ଲାଗିଗଲା। ସେଇ ସମୟରେ ସେଠାରେ କେହି ନ ଥିଲେ। ଶିଷ୍ୟମାନଙ୍କ ସହିତ ନେନେ େଫରିଲା ବେଳକୁ ସବୁ କିଛି ସରି ଯାଇଥିଲା। ଶିଷ୍ୟମାନେ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ। କିନ୍ତୁ ଯେମିତି କିଛି ହୋଇନାହିଁ ସେମିତି ଆଚରଣ କରି ନେନେ ଆଉ ଗୋଟିଏ କୁଡ଼ିଆ ତିଆରି କରିବା ଲାଗି କାମ ଆରମ୍ଭ କଲେ।
ନେନେଙ୍କ ପ୍ରିୟ ଶିଷ୍ୟ ଏବେ ପଚାରିଲା- ମହାଶୟ, ଆପଣଙ୍କ ପୁରୁଣା ପାଣ୍ଡୁଲିପିସବୁ ଜଳିଗଲା। ଆପଣଙ୍କ ମନରେ କଷ୍ଟ ଆସୁନାହିଁ।
ନେନେ କହିଲେ- ଆଜି ଠାରୁ ଶହେ ବର୍ଷ ଆଗକୁ ଦେଖ। ମୁଁ ଅଛି କି? ଯଦି ମାତ୍ର ଶହେ ବର୍ଷ ପରେ ମୁଁ ନାହିଁ, ପାଣ୍ଡୁଲିପିଗୁଡ଼ିକ ପାଇଁ ଦୁଃଖ କରିବି କାହିଁକି? ସବୁ କିଛି ଆଜି ଅଛି, କାଲି ନାହିଁ। ଏହାକୁ ମନରେ ଭାଳି ମନର ଶାନ୍ତି ନଷ୍ଟ କରିବି କାହିଁକି?