ସାମର୍ଥ୍ୟ ଓ ସୁଯୋଗ

କଥାଟିଏ - ଯାଯାବର

ଗୋଟିଏ ଅଗନାଅଗନି ଜଙ୍ଗଲର ମଧୢ ଭାଗରେ ଥିଲା ଗୋଟିଏ ପୋଖରୀ। ତହିଁରେ ରହୁଥିଲେ ଦଳେ ବେଙ୍ଗ। ସେମାନଙ୍କ କର୍କଶ ରାବରେ କାନ ଅତଡ଼ା ପଡୁଥିଲା। ସେଇ ଦଳ ଭିତରେ ଥିଲା ଏମିତି ଏକ ବେଙ୍ଗୁଲୀ, ଯିଏ ନିଜର ତଥା ନିଜ ପରିବାର ସଦସ୍ୟଙ୍କ କର୍କଶ କଣ୍ଠ ସ୍ବରରେ ଅତିଷ୍ଠ ହୋଇ ଉଠିଥିଲା। ସେ ଭଗବାନଙ୍କୁ ପ୍ରାର୍ଥନା କରି କହୁଥିଲା- ପ୍ରଭୁ, ମୋର ଯେଉଁ ସନ୍ତାନଟି ହେବ ତାକୁ ମଧୁର କଣ୍ଠ ଦିଅ।

ବେଙ୍ଗୁଲୀର ଆକୁଳ ପ୍ରାର୍ଥନାକୁ ଭଗବାନ ଅବଶ୍ୟ ଶୁଣିଲେ। କାରଣ ତା’ର ଯେଉଁ କନ୍ୟା ସନ୍ତାନଟି ହେଲା ତା’ର କଣ୍ଠଟି ଥିଲା ବୀଣାଜିଣା। ସେ ବୋବାଇଲା ମାତ୍ରକେ ମୃଦୁ ମଳୟ ବହିବା ଆରମ୍ଭ ହୋଇଯାଉଥିଲା। ପରିବେଶ ଉଲ୍ଲସିତ ହୋଇଉଠୁଥିଲା। ସେ ରାବିଲା ବେଳେ ଦଳର ଅନ୍ୟ ବେଙ୍ଗ ଚୁପ୍‌ ହୋଇଯାଉଥିଲେ।

କ୍ରମେ ବେଙ୍ଗୁଲୀର ଝିଅଟି ବଡ଼ ହେଲା। କିନ୍ତୁ ତା’ ମନ ଦିନକୁ ଦିନ ଅଧିକରୁ ଅଧିକ ବିଷାଦଗ୍ରସ୍ତ ହୋଇଉଠୁଥିଲା। ମାଆ ତାକୁ କାରଣ ପଚାରିଲା। ଝିଅ କହିଲା- ମାଆ, ତୁମେ ଭଗବାନଙ୍କୁ ପ୍ରାର୍ଥନା କରି ମୋ ଲାଗି ଯେଉଁ ଆଶୀର୍ବାଦଟି ପାଇଲ, ତାହା ଏବେ ମୋ ମନ ଦୁଃଖର କାରଣ ହେଲାଣି। ମୁଁ ବୁଝୁଛି ଯେ ମୋ କଣ୍ଠ ସ୍ବର ଭଳି ମଧୁର ସ୍ବର ବିରଳ। ସାରା ପୃଥିବୀରେ ମୋ ଭଳି ବେଙ୍ଗଟିଏ ନ ଥିବ! କିନ୍ତୁ ଲାଭ କଅଣ? ଏ ଜଙ୍ଗଲ ଭିତରେ ମୋ ଗୀତ ଶୁଣୁଛି କିଏ? ମୁଁ ଏକ ବିରଳ ସାମର୍ଥ୍ୟ ପାଇଛି। କିନ୍ତୁ ତାହା ପ୍ରତିପାଦନ କରିବାକୁ ସୁଯୋଗ କାହିଁ? ଏବେ ଲାଗୁଛି ଅନ୍ୟ ବେଙ୍ଗମାନଙ୍କ ଭଳି କର୍କଶ ସ୍ବର ପାଇଥିଲେ ବର˚ ଭଲ ହୋଇଥାଆନ୍ତା। ସେମାନଙ୍କ ଭଳି ହୋଇ ସେମାନଙ୍କ ସହିତ ଜୀବନ କାଟି ଦେଇଥାଆନ୍ତି। ମନରେ କଷ୍ଟ ନ ଥାଆନ୍ତା।

ଏ କଥା ଶୁଣିଲା ଦଳର ସବୁଠାରୁ ବୁଢ଼ା ଓ ପ୍ରାଜ୍ଞ ବେଙ୍ଗ। ସେ କହିଲା- ଠିକ୍‌ କହିଛୁ। ଏବେ ଉପାୟ ହେଲା, ଭଗବାନଙ୍କୁ ସୁଯୋଗଟିଏ ମାଗ, ଯେମିତି ତୋ ମାଆ ପ୍ରାର୍ଥନା କରୁଥିଲା, ସେମିତି ଆକୁଳ ପ୍ରାର୍ଥନା କର। ଭଗବାନ ଶୁଣିବେ ନିଶ୍ଚୟ।

ତା’ କଥା ସତ ହେଲା। କେବେ ଘଟି ନ ଥିବା କଥା ଘଟିଲା। ଅଚାନକ କେହି ଜଣେ ବେଙ୍ଗର ଚମତ୍କାର ସ୍ବର ଶୁଣିଲା। ସେ ସ୍ତମ୍ଭୀଭୂତ ହୋଇଗଲା। ଏଣିକି ବେଙ୍ଗସୁଲଭ କର୍କଶତାରୁ ମୁକ୍ତି ପାଇ ମଧୁର ସ୍ବରଧାରୀ ବେଙ୍ଗୁଲୀ କାହିଁ କେତେ ଦେଶ ବୁଲିଲା, କେତେ କେତେ ପ୍ରସିଦ୍ଧି ପାଇଲା।

ସମ୍ବନ୍ଧିତ ଖବର