ଗୋଟିଏ ଦାନା ଚାଉଳ

କଥାଟିଏ - ଯାଯାବର

ଜଣେ ଭିକ୍ଷୁକ ସକାଳୁ ଭିକ୍ଷା ମାଗିବା ଲାଗି ବାହାରିଲେ। ଗଲା ବେଳେ ଘରୁ କିଛି ଚାଉଳ ତାଙ୍କ ପାତ୍ରରେ ନେଇ ଗଲେ। ଏହା ଭିକ୍ଷୁକମାନଙ୍କ ଏକ ଉପାୟ। ଏହାକୁ ଦେଖିଲେ ଭିକ୍ଷା ଦେବା ଲୋକେ ଭାବନ୍ତି ଯେ ଅନ୍ୟମାନେ ଭିକ୍ଷା ଦେଇଛନ୍ତି, ସୁତରାଂ, ମୁଁ ବି କିଛି ଦିଏ।

ଭିକ୍ଷୁକ କିଛି ବାଟ ଯାଇଛନ୍ତି, ହଠାତ୍‌ ଦେଖିଲେ ତାଙ୍କ ଆଗରେ ଜଣେ ସଂଭ୍ରାନ୍ତ ବ୍ୟକ୍ତି ଦଣ୍ଡାୟମାନ। ଭିକ୍ଷୁକ ତାଙ୍କୁ ମାଗିବେ କ’ଣ, ତାଙ୍କୁ ଚକିତ କରି ସେହି ଧନୀ ବ୍ୟକ୍ତି ନିଜ ଉତ୍ତରୀୟ ମେଲାଇ ଦେଇ କହିଲେ- ମୋତେ କିଛି ଭିକ୍ଷା ଦିଅନ୍ତୁ। କାରଣ ଭବିଷ୍ୟତ୍‌ ବାଣୀ ହୋଇଛି ଯେ ସକାଳୁ ସବା ପ୍ରଥମେ ଦେଖିଥିବା ବ୍ୟକ୍ତିଙ୍କ ଠାରୁ କିଛି ଭିକ୍ଷା ଆଣିଲେ ମୋ ପୁତ୍ର ମୃତ୍ୟୁ ମୁଖରୁ ବଞ୍ଚିଯିବ।

ଭିକ୍ଷା ପାଇବାକୁ ଆଶା କରିଥିବା ତଥା ଜୀବନରେ କେବେ କାହାକୁ କିଛି ଦେଇ ନ ଥିବା ଭିକ୍ଷୁକ ଧନୀକଙ୍କୁ କିଛି ଦେବା ଲାଗି କୁଣ୍ଠିତ ଥିଲେ। କିନ୍ତୁ ନ ଦେବା ଲାଗି ସାହସ ଜୁଟାଇ ନ ପାରି କେବଳ ଗୋଟିଏ ଦାନା ଚାଉଳ ତାଙ୍କୁ ଦେଲେ। ସେଥିରେ ବି ତାଙ୍କ ମନରେ କ୍ଷୋଭ ଥିଲା।
ସେ ଦିନ ଭିକ୍ଷୁକ ଯଥା ସମୟରେ ଘରକୁ ଫେରିଲେ। ଘରେ ପହଞ୍ଚି ସେ ପାଇଥିବା ସବୁ ଚାଉଳକୁ ଏକ ପାତ୍ରରେ ଅଜାଡ଼ି ଦେଲେ। ଏତିକି ବେଳେ ଦେଖିଲେ ଯେ ତା’ ଭିତରେ ଗୋଟିଏ ଦାନା ସୁନାର ଚାଉଳ ଅଛି।

ସେ ପ୍ରଥମେ ତଟସ୍ଥ ହୋଇଗଲେ। କିନ୍ତୁ ପରେ ଦୁଃଖରେ କାନ୍ଦି ପକାଇଲେ। ସେ ଏହାର ରହସ୍ୟ ବୁଝିପାରି ନିଜକୁ ଧିକ୍କାରି କହିଲେ- ହାୟ କ’ଣ କଲି? ସବୁତକ ଚାଉଳ ନ ଦେଲି କାହିଁକି? ତାଙ୍କର ସେଇ ଗୋଟିଏ ଦାନା ଚାଉଳର ଦାନ ସୁନା ହୋଇ ତାଙ୍କ ପାଖକୁ ଫେରିଥିଲା।

ସମ୍ବନ୍ଧିତ ଖବର