ଦୁଇ ଜଣ ସାଧୁ ତୀର୍ଥରୁ ଫେରିଲେ। ଗାଁ ମୁଣ୍ଡରେ ଥିବା ସେମାନଙ୍କ ଘର ପାଖରେ ପହଞ୍ଚି ଯାହା ଦେଖିଲେ ସେଥିରେ ତରୁଣ ସାଧୁ କାନ୍ଦି ପକାଇଲେ। କାରଣ ଏକ ବାତ୍ୟା ଆସି ଘରର କାନ୍ଥକୁ ବିଦୀର୍ଣ୍ଣ କରିଥିଲା ଏବଂ ଚାଳରୁ ଅର୍ଧେକ ଉଡ଼େଇ ନେଇଥିଲା।

Advertisment

ତରୁଣ ସାଧୁ କ୍ଷୋଭ ସହକାରେ ପ୍ରବୀଣଙ୍କୁ ଚାହିଁ କହିଲେ- ହେଇ ଦେଖ, କ’ଣ ହୋଇଛି। ମୁଁ ସବୁବେଳେ କହିଥାଏନା ଏ ଈଶ୍ବର କିଛି ବୁଝେନାହିଁ। ଏ ଈଶ୍ବର ନିର୍ଦୟ। ଆମେମାନେ ତା’ରି ଗୁଣ ଗାନ କରି ସର୍ବତ୍ର ବୁଲୁଛେ। ଏବେ ତୀର୍ଥରୁ ଫେରିଲେ। ଏ ଗାଁରେ ସମସ୍ତଙ୍କ ଘର ଅକ୍ଷତ ଅଛି। ଅଥଚ, ଆମ ଘରର ଏ କି ଅବସ୍ଥା?

ପ୍ରବୀଣ ସାଧୁଙ୍କ ଆଖିରେ ଲୁହ ଥିଲା। ସେ ଭାବବିହ୍ବଳ ହୋଇ କହିଲେ- ତୁମେ ଈଶ୍ବରଙ୍କ ଲୀଳାକୁ ବୁଝି ପାରୁନାହଁ। ବାତ୍ୟା ଆସିଲା। ଆମ ଚାଳକୁ ପୂରା ଉଡ଼େଇ ନେବା ତା’ ଲାଗି କ’ଣ କଷ୍ଟକର ଥିଲା। ନିଶ୍ଚିତ ଭାବେ କେହି ଜଣେ ବାଧା ଦେଲା ବୋଲି ଏହି ଚାଳ ଅଧକ ରହିଗଲା, ଯାହା ତଳେ ମୁଣ୍ଡ ଗୁଞ୍ଜି ହେବ। ଭଗବାନଙ୍କ ଲୀଳା ଅପାର।