ଲକ୍ଷ୍ୟ ସାଧନ

କଥାଟିଏ - ଯାଯାବର

ଜଣେ ତୀରନ୍ଦାଜ ଥିଲେ। କୁହାଯାଉଥିଲା, ଯେଉଁ ଦିନ ୟାଙ୍କର ଲକ୍ଷ୍ୟ ଠିକ୍‌ ଜାଗାରେ ଲାଗିବ ନାହିଁ ସେ ଦିନ ଜାଣ ପଶ୍ଚିମରେ ସୂର୍ଯ୍ୟ ଉଦୟ ହେବେ।

କିନ୍ତୁ ଦିନେ ସେମିତି ହେଲା। ସେ ଅଭ୍ୟାସ କରୁଥିବା ବେଳେ ତୀରଟି ଠିକଣା ଜାଗାରେ ବାଜିଲା ନାହିଁ। ଅନେକ ବର୍ଷ ପରେ ଏମିତି କିଛି ଘଟିଲା, ଯହିଁରେ ସେ ବିଚଳିତ ହେବା ଥିଲା ସ୍ବାଭାବିକ। ସେ ପୁଣି ଲକ୍ଷ୍ୟ ସାଧିଲେ। ଏଥର ଠିକ୍‌ ଭାବେ ସେ ଲକ୍ଷ୍ୟ ଭେଦ କରିପାରିଲେ। କିନ୍ତୁ ଏବେ ତାଙ୍କ ମନ ଭିତରେ ଭୟ ପଶିଗଲା। ପରବର୍ତ୍ତୀ ଦିନମାନଙ୍କରେ ଏଣିକି ସେ ଥରେ ବା ଦୁଇ ଥର କରି ଲକ୍ଷ୍ୟ ଭ୍ରଷ୍ଟ ହେବାକୁ ଲାଗିଲେ। ସେ ବିଷଣ୍ଣ ହୋଇଗଲେ। ବିଚଳିତ ଓ ବିକଳ ହୋଇ ସେ ଜଣେ ଶସ୍ତ୍ର ଗୁରୁଙ୍କୁ ଭେଟିଲେ।

ଗୁରୁ ତାଙ୍କ ତୂଣୀରରୁ ଶରଟିଏ ବାହାର କରି ପଚାରିଲେ- ତୁମର ନିଜ ସାମର୍ଥ୍ୟ ଉପରେ କେତେ ଭରସା ଅଛି?

ତୀରନ୍ଦାଜ କହିଲେ- ମୋ ସାମର୍ଥ୍ୟ ଉପରେ ମୋର ଶତପ୍ରତିଶତ ବିଶ୍ବାସ ଅଛି। କିନ୍ତୁ ଏବେ ତାହା ଊଣା ପଡ଼ିବା ଆରମ୍ଭ ହୋଇଛି।

ଗୁରୁ ଏହା ଶୁଣି କହିଲେ- ସମସ୍ୟାଟି ସେଇଠୁ ଆରମ୍ଭ ହୋଇଛି। ନିଜ ସାମର୍ଥ୍ୟ ଉପରେ ଶତପ୍ରତିଶତ ବିଶ୍ବାସର ଅର୍ଥ ଟିକିଏ ବିଫଳତାରେ ଟଳମଳ ହେବା। କାରଣ ତୁମେ ବୁଝିପାରୁନାହଁ ଯେ ତୁମର ସାମର୍ଥ୍ୟ ବାହାରେ ଆହୁରି ଏମିତି ଅନେକ କିଛି ଅଛି ଯାହା ଫଳକୁ ପ୍ରଭାବିତ କରିପାରେ। ଏବେ ଠାରୁ ଠିକ୍‌ ଭାବେ ଲକ୍ଷ୍ୟ ସାଧି ତୀର ମାର, କିନ୍ତୁ ତୀରକୁ ନେଇ ଲକ୍ଷ୍ୟରେ ପହଞ୍ଚାଇବା ଦାୟିତ୍ବଟି କେବଳ ନିଜ ଉପରେ ରଖନାହିଁ। ଭାବିନିଅ ଯେ ଈଶ୍ବରଙ୍କର ବି ଗୋଟିଏ ଇଚ୍ଛା ଅଛି। ଏହା ହେଲେ ତୁମେ ବିଫଳ ହୋଇପାର, କିନ୍ତୁ ହତାଶ ହେବନାହିଁ। ତୁମ ଲାଗି ସେତିକି ଲୋଡ଼ା।

ସମ୍ବନ୍ଧିତ ଖବର