ପରିଶ୍ରମୀ ଭଲ ଫଳ ପାଏ

କଥାଟିଏ - ଯାଯାବର

ଲାଓତ୍‌ ସେଙ୍କ ପାଖରେ ଜଣେ ଯୁବକ ପହଞ୍ଚି କହିଲା ଯେ ମୋ ବାପା ଆପଣଙ୍କ ମିତ୍ର। ସେ ଜଣେ ଅତି ବିଚାରବନ୍ତ ଲୋକ ବୋଲି ସମସ୍ତେ କହନ୍ତି। ତେଣୁ ମୁଁ ବୁଝିପାରୁନାହିଁ, ସେ ତାଙ୍କ ଦୁଇ ପୁଅ ଅର୍ଥାତ୍‌ ଆମ ଦୁଇ ଭାଇଙ୍କ ଭିତରେ ଜମି ଭାଗ ବାଣ୍ଟିଲା ବେଳକୁ ଏମିତି ପାତରଅନ୍ତର କରିଛନ୍ତି କେମିତି? ମୋ ଭାଇକୁ ସବୁ ଉର୍ବର ଜମି ଦେଇ ମୋତେ ବନ୍ଧୁର ଓ ନିପାଣିଆ ଜମି ‌େ‌ଦଇଛନ୍ତି କାହିଁକି?

ଲାଓତ୍‌ ସେ କହିଲେ- ଏଥି ଲାଗି ଯେ ସେ ତୁମକୁ ଅଧିକ ଭଲ ପାଆନ୍ତି। ତା’ର କାରଣ କ’ଣ ଏବେ ବୁଝାଇ ଦେଉଛି ଶୁଣ।

ତୁମ ଭାଇ ଜମିରୁ ଫସଲ ଉତାରିବା ଲାଗି ବିଶେଷ କିଛି କରିବ ନାହିଁ। ଯାହାକୁ କହନ୍ତି ସେ ଘରେ ବସି ତା’ ଜମିରୁ ଶସ୍ୟ ପାଇବ। ଆରାମରେ ରହିବ। କ୍ରମେ ଚାଷବାସ ଭୁଲିଯିବ। ମୁଁ ଯାହା ଜାଣେ ସେ ଅଳସୁଆ। ତେଣୁ ସେ ଅନ୍ତତଃ ବଞ୍ଚି ରହୁ ବୋଲି ସେହି ଜମି ଟିକକ ତାକୁ ତୁମ ବାପା ଦେଇଛନ୍ତି। କିନ୍ତୁ ଏହା ଦ୍ବାରା ତା’ର କିଛି ଉନ୍ନତି ହେବ ନାହିଁ।

କିନ୍ତୁ ତୁମେ ପରିଶ୍ରମୀ। ବାପା ଜାଣନ୍ତି ତୁମେ ସେହି ଜମିରେ ବି ସୁନା ଫଳାଇବ। ତୁମେ ପରିଶ୍ରମ କରିବ। ତୁମ ଭାଗ‌େର ଥିବା ଜମି ବି ଧୀରେ ଧୀରେ ଭଲ ହୋଇଯିବ। ତୁମର ବି ଉନ୍ନତି ହେବ। ପରିଶ୍ରମୀ ସବୁ ବେଳେ ଭଲ ଫଳ ପାଏ। ତୁମ ବାପା ତୁମକୁ ଅଧିକ ଭଲ ପାଆନ୍ତି, ତୁମର ଉନ୍ନତି ଚାହାନ୍ତି। ତେଣୁ ତୁମକୁ ଏ ଜମି ଦେଇଛନ୍ତି।

ସମ୍ବନ୍ଧିତ ଖବର