ନେନେ ଓ ଯୁବକ

କଥାଟିଏ - ଯାଯାବର

ଥରେ ଜେନ୍‌ ଗୁରୁ ନେନେଙ୍କ ପାଖକୁ ଜଣେ ଯୁବକ ଅତ୍ୟନ୍ତ ଖୁସିରେ ପହଞ୍ଚି ଯାଇ କହିଲା- ଆଜ୍ଞା, ମୋ ଘରେ ପୁଅଟିଏ ଜନ୍ମ ନେଇଛି। ସେଥି ଲାଗି ମନ ଭାରି ଖୁସି।

ନେନେ ଅସ୍ପଷ୍ଟ ଭାବେ ଯାହା ସ୍ବଗତୋକ୍ତି କଲେ ତାହା ଯୁବକ ଶୁଣିଲା କିନ୍ତୁ ବୁଝି ପାରିଲା ନାହିଁ। ନେନେ ଯାହା କହିଥିଲେ, ତାହା ହେଲା- ଗଧ ଜାଣି ପାରୁନାହିଁ ତା’ ଘରେ କେତେ ଜଣ ଜନ୍ମ ନେଇଛନ୍ତି। ପୁ୍ୁଅକୁ ନେଇ ଖୁସି ହେଉଛି!

କିଛି ସମୟ ପରେ ଯୁବକ ନେନେଙ୍କୁ ଏହି କଥା କହି ଏଭଳି ସେ କାହିଁକି କହିଲେ ବୋଲି ପଚାରିଲା।

ନେନେ କହିଲେ- ଆରେ ନିର୍ବୋଧ ତୋ’ ଘରେ କେବଳ ତୋ’ର ପୁଅ ଜନ୍ମ ହୋଇନାହିଁ। ତୋ’ ଘରେ ଗୋଟିଏ ବାପା ଓ ଗୋଟିଏ ମା’ର ଜନ୍ମ ହୋଇଛି। କେବଳ ସେତିକି ନୁହେଁ, ତୁମ ପରିବାରର ଯେତିକି ସଦସ୍ୟ ସେମାନେ ସମସ୍ତେ ଏହି ସୂତ୍ରରେ ଜନ୍ମ ନେଇଛନ୍ତି। କିଏ ଦାଦା ଭାବେ ଜନ୍ମ ନେଇଛି ତ କିଏ ମାମୁଁ ଭାବେ!

ଯୁବକ କହିଲା- ବୁଝିଲି। ହେଲେ ଆପଣ ଏଭଳି କହିଲେ କାହିଁକି?

ନେନେ କହିଲେ- କାରଣ ସନ୍ତାନ ଜନ୍ମ ହେବା ସହିତ ତୁମେମାନେ ମଧ୍ୟ ତୁମ ନୂଆ ରୂପରେ ଜନ୍ମ ନେଇ ସାରିଛ। ତେଣୁ ନିଜ ପୁଅକୁ ଗଢ଼ିବା ସହିତ ତୁମେମାନେ ନିଜ ନିଜକୁ ମଧ୍ୟ ଗଢ଼।

ସମ୍ବନ୍ଧିତ ଖବର