ମୁଲ୍ଲା ଓ ରାଜନୀତି

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କୁ ଲୋକେ ନିର୍ବାଚନରେ ଛିଡ଼ା କରାଇ ଦେଲେ। ନସିରୁଦ୍ଦିନ ବାଧ୍ୟ ହୋଇ ଘର ଘର ବୁଲି ଭୋଟ ମାଗିଲେ।

ଦି‌ନେ ସକାଳେ ତାଙ୍କୁ ପାଖ ଗାଁର ଜଣେ ପ୍ରଭାବଶାଳୀ ଲୋକଙ୍କ ଘରକୁ ଯାଇ ଭୋଟ ପ୍ରାର୍ଥନା କରିବାକୁ ପଡ଼ିଲା। ସେହି ବ୍ୟକ୍ତି ଜଣକ ଥିଲେ ଅତ୍ୟନ୍ତ ଲୋକପ୍ରିୟ ଏବଂ ଅସଂଖ୍ୟ ଲୋକେ ତାଙ୍କୁ ଗୁରୁତୁଲ୍ୟ ଜ୍ଞାନ କରୁଥିଲେ। ସୁତରାଂ, ତାଙ୍କ ଗୋଟିଏ ଇଙ୍ଗିତରେ ଅଜସ୍ର ଭୋଟ ମିଳିବା ନିଶ୍ଚିତ ଥିଲା। ତେଣୁ ସମସ୍ତେ ଚାହୁଁଥିଲେ ମୁଲ୍ଲା ତାଙ୍କୁ ଭଲ ଭାବେ ଅନୁରୋଧ କରନ୍ତୁ।

କିନ୍ତୁ ମୁଲ୍ଲା ଥିଲେ ବିଚିତ୍ର କିସମର ବ୍ୟକ୍ତି। ସେ ଭୋଟ ମାଗିବାକୁ ଯିବା ପୂର୍ବରୁ କିଛି ସାଙ୍ଗଙ୍କ କଥାରେ ମାତି ଟାଙ୍କିଏ ମଦ ପିଇଦେଲେ। ତା’ପରେ ମୁଲ୍ଲା ଯେତେବେଳେ ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭୋଟ ଲାଗି ଅନୁରୋଧ କଲେ, ସେ କିଛି ଠଉରାଇ ପାରି ମୁଲ୍ଲାଙ୍କୁ କହିଲେ- ଗୋଟିଏ ପ୍ରଶ୍ନ ପଚାରିବି। ତାର ଉତ୍ତର ଶୁଣିବା ପରେ ବିଚାର କରିବି ତୁମକୁ ସମର୍ଥନ ଦେବି ନା ନାହିଁ? ତୁମେ କ’ଣ ମଦ ପିଇଛ?

ମୁଲ୍ଲା କ୍ଷଣିଏ ବି ବିଳମ୍ବ ନ କରି କହିଲେ- ‘ହଁ’।

ଏହା ଶୁଣି ସେହି ବ୍ୟକ୍ତି କହିଲେ- ମୁଁ ମୁଲ୍ଳାଙ୍କୁ ସମର୍ଥନ କରିବି।

ଏହା ଶୁଣି ସେହି ବ୍ୟକ୍ତିଙ୍କ ଜଣେ ପାଖ ଲୋକ କହିଲେ- ଆପଣ ଗୋଟିଏ ମଦ୍ୟପକୁ ସମର୍ଥନ କରିବେ?’

ସେହି ବ୍ୟକ୍ତି କହି‌େଲ- ତୁମେ ତା’ ମଦ ପିଆକୁ ଦେଖିଲ, ଅଥଚ ନିର୍ବାଚନ ଲଢୁଥିବା ସତ୍ତ୍ବେ ସମସ୍ତଙ୍କ ଆଗରେ ତାହା ସ୍ବୀକାର କରିବାଟାକୁ ଦେଖିଲ ନାହିଁ। ୟେ ରାଜନୀତିଆ ଲୋକ ନୁହେଁ। ୟେ ନିର୍ଭୀକ ଓ ସତରେ ରହିବ।

ସମ୍ବନ୍ଧିତ ଖବର