ରାଜାଙ୍କ ଜ୍ଞାନୋଦୟ

କଥାଟିଏ - ଯାଯାବର

ଗୋଟିଏ ରାଜ୍ୟରେ ନୂଆ ରାଜା ଅଭିଷିକ୍ତ ହେବା ପରେ ତାଙ୍କର ଲକ୍ଷ୍ୟ ରହିଲା ଯେ ସେ କିପରି ରାଜଚକ୍ରବର୍ତ୍ତୀ ହେବେ। ସେଥି ଲାଗି ସେ ଦିଗ୍‌ବିଜୟରେ ବାହାରିଲେ। ସେ ଥିଲେ ଜଣେ ଧୁୁରନ୍ଧର ଯୋଦ୍ଧା ଏବ˚ ତାଙ୍କ ସୈନ୍ୟ ବାହିନୀ ମଧୢ ଥିଲା ଅତି ପାରଙ୍ଗମ।

ଦିଗ୍‌ବିଜୟ କରିବାର ମାର୍ଗରେ ଆସିଲେ ଆଉ ଜଣେ ଚକ୍ରବର୍ତ୍ତୀ ରାଜା। ସେ ମଧୢ ଥିଲେ ଅତ୍ୟନ୍ତ ଉଚ୍ଚାଭିଳାଷୀ। ଯୋଦ୍ଧା ଭାବେ ସେ ମଧୢ ଥିଲେ ଅଦ୍ବିତୀୟ ଏବ˚ ତାଙ୍କ ସେନା ବାହିନୀର ସାମର୍ଥ୍ୟ ଥିଲା ପ୍ରଶ୍ନାତୀତ। ସୁତରା˚, ଦୁଇ ବାହିନୀ ଭିତରେ ଭୟାବହ ଯୁଦ୍ଧ ହେଲା। ଉଭୟ ରାଜା ବି ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ। ଯୁଦ୍ଧର ତୃତୀୟ ଦିନରେ ଦୁଇ ରାଜା ପରସ୍ପରର ସମ୍ମୁଖରେ ନିଜକୁ ପାଇଲେ। ଦୁହିଁଙ୍କ ଭିତରେ ଆରମ୍ଭ ହୋଇଗଲା ଯୁଦ୍ଧ। ଏହା ଥିଲା ଯୁଦ୍ଧର ନିର୍ଣ୍ଣାୟକ ସମୟ। କାରଣ ଯେଉଁ ରାଜା ପରାଜିତ ହେବେ, ସେ ରାଜ୍ୟ ହାରିଲା ବୋଲି ଗଣା ହେବ।

ଶେଷରେ ଦିଗ୍‌ବିଜୟରେ ବାହାରିଥିବା ନୂଆ ରାଜା ଯୁଦ୍ଧରେ ବିଜୟୀ ହେଲେ। ତାଙ୍କ ଖଡ୍‌ଗ ପ୍ରତିପକ୍ଷ ରାଜାଙ୍କ ବକ୍ଷ ଭେଦ କରିଯାଇଥିଲା। ସେ ତାଙ୍କ ଆଗରେ ଟଳି ପଡ଼ିଲେ। ପ୍ରତିପକ୍ଷ ରାଜାଙ୍କ ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ ଏବ˚ ଦିଗ୍‌ବିଜୟୀ ରାଜାଙ୍କ ସୈନ୍ୟମାନେ ଆନନ୍ଦରେ ଉନ୍ମତ୍ତ ହୋଇ କୋଳାହଳ କରିବାରେ ଲାଗିଲେ। କିନ୍ତୁ ହଠାତ୍‌ ବିଜୟୀ ରାଜାଙ୍କ ମୁହଁରେ ବିଷାଦର କଳା ବାଦଲ ଘୋଟି ଆସିଲା। ତାଙ୍କ ହାତରୁ ଅସ୍ତ୍ର ଖସି ପଡ଼ିଲା।
ପାଖରେ ଥିବା ସେନାପତି ବ୍ୟସ୍ତ ହୋଇ ପଚାରିଲେ- ମହାରାଜ, ଆପଣ ବିଜୟୀ ହୋଇଛନ୍ତି। ପୁଣି ଏମିତି ଅବଶ କାହିଁକି ହୋଇପଡୁଛନ୍ତି?

ରାଜା କ୍ଳାନ୍ତ ସ୍ବରରେ କହିଲେ- ମୋ ଆଗରେ ମୃତ ହୋଇ ପଡ଼ିଥିବା ରାଜା ବି ଦିନେ ସବୁ ଯୁଦ୍ଧରେ ବିଜୟୀ ହେଉଥିଲେ। କିନ୍ତୁ ଆଜିର ପରିସ୍ଥିତି ଦେଖ। ତେଣୁ ଜିତୁଥିବା ଲୋକ ଦିନେ ନା ଦିନେ ହାରିବା, ଭୂଲୁଣ୍ଠିତ ହେବା ନିଶ୍ଚିତ। ତେବେ ଏ ଯୁଦ୍ଧ କାହିଁକି? ଏ ହାରଜିତ୍‌ର ଖେଳ କାହିଁକି?

ସମ୍ବନ୍ଧିତ ଖବର