ଦୁଇ ମୂଷାଙ୍କ କଥା

କଥାଟିଏ - ଯାଯାବର

ଜଣେ ଧନୀ ଚାଷୀର ଅମାରରେ ରହୁଥିଲା ଏକଲା ମୂଷାଟିଏ। ଅମାର ସର୍ବଦା ଭରପୂର ଥିବାରୁ ମନ-ଇଚ୍ଛା ଶସ୍ୟ ଖାଇ ବେଶ୍‌ ମୋଟା-ରୋଟା, ତାଗଡ଼ା ହୋଇଥାଏ। ପାଖରେ ରହୁଥାଏ, ଜଣେ ଖେତ ମଜୁରିଆ। ତା’ ଘରେ ମଧ୍ୟ ରହୁଥିଲା ମୂଷାଟିଏ। ମଜୁରିଆ ଘରେ ବର୍ଷସାରା ଖାଦ୍ୟର ଅଭାବ। ଓଳିଏ ଖାଇଲେ, ଓଳିଏ ଉପାସ। ଗୃହସ୍ଥଙ୍କ ଅବସ୍ଥା ଯେଉଁଠି ଏହି ପରି ମୂଷାର ଅବସ୍ଥା ବାବଦରେ ଆଉ କ’ଣ କହିବା! ମୂଷାଟି ଖାଦ୍ୟାଭାବ ଯୋଗୁଁ ଆକାରରେ ବଢ଼ିପାରୁ ନ ଥାଏ। ଧନୀ କୃଷକର ଅମାର ଘରେ ଥିବା ଏକ କଣା ଦେଇ, ଦିନେ ଗରିବ ଘରର ମୂଷା ଭିତରକୁ ଗଲା। ତାଗଡ଼ା ମୂଷା ସହ ଭେଟ ହେଲା। ଦୁହେଁ ଖାଇ-ପିଇ ମଉଜ କଲେ। ତାଗଡ଼ା ମୂଷା ଅନୁରୋଧରେ ବୁଲିବାକୁ ଆସିଥିବା ମୂଷା, ସେଠାରେ ରହିଗଲା। ବେଶ୍‌ କିଛି ଦିନ ବିତିଗଲା। ସେ ମଧ୍ୟ ଖାଇ-ପିଇ ମୋଟା ହୋଇଗଲା। ଦିନେ ନିଜ ଘର କଥା ମନେପଡ଼ିବାରୁ ଯିବାକୁ ବାହାରିଲା। ହେଲେ, ମୋଟା ହୋଇଯାଇଥିବାରୁ ଯେଉଁ କଣା ଦେଇ ଆସିଥିଲା, ସେହି ବାଟେ ଆଉ ବାହାରିପାରିଲାନାହିଁ। ତାଗଡ଼ା ମୂଷା ହସି, କହିଲା- ଏବେ ଖାଇବା ଛାଡ଼। ପୂର୍ବ ରୂପ ଫେରିପାଇଲେ, ଏ ସ୍ଥାନ ଛାଡ଼ିପାରିବୁ; ନ ହେଲେ ନୁହେଁ।

ଏଇଠି କାହାଣୀ ସାରି ସଦ୍‌ଗୁରୁ ଶ୍ରୋତାଙ୍କ ଉଦ୍ଦେଶ୍ୟରେ କହିଲେ: ଯେତେ ଧନ କମାଅ, ମଉଜ କର; ଗଲା ବେଳେ ସଙ୍ଗରେ କିଛି ବି ନେଇପାରିବନାହିଁ। ଏହା ହିଁ ସ˚ସାରର ନିୟମ। ଯେମିତି ଆସିଥିଲ, ସେମିତି ଯିବ।

ସମ୍ବନ୍ଧିତ ଖବର