ମନୁଷ୍ୟର ଆଖି

କଥାଟିଏ - ଯାଯାବର

ସୃଷ୍ଟି ଆରମ୍ଭ ବେଳର କଥା। ମନୁଷ୍ୟ ସମେତ ସବୁ ପ୍ରାଣୀଙ୍କ ସକାଶେ ଈଶ୍ବର ସୂର୍ଯ୍ୟ ଏବ˚ ଚନ୍ଦ୍ରଙ୍କ ଠାରୁ ଜ୍ୟୋତି ଆଣି ଦୁଇଟି ଚକ୍ଷୁର କଳ୍ପନା କଲେ। ଚକ୍ଷୁ ଦ୍ବୟ ଦେଇ ପ୍ରାଣୀମାନେ ସବୁ କିଛି ଦେଖି ପାରିଲେ। କିନ୍ତୁ, ଦିନେ ମଣିଷ ଈଶ୍ବରଙ୍କ ପାଖରେ ପହଞ୍ଚି କହିଲା, ଆପଣ ସମସ୍ତଙ୍କ ଭଳି ଆମ ସକାଶେ ବି ଦୁଇଟି ଚକ୍ଷୁର ପରିକଳ୍ପନା କଲେ। କିନ୍ତୁ, ତା’ ସତ୍ତ୍ବେ ବି ଅନ୍ଧତ୍ବରୁ ମୁକ୍ତି ମିଳୁନାହିଁ। ଅହଂକାର ଆମକୁ ଅନ୍ଧ କରି ରଖିଛି। ସେଥି ପାଇଁ କିଛି ବ୍ୟବସ୍ଥା କରନ୍ତୁ।

ଈଶ୍ବର କହିଲେ, ବ୍ୟବସ୍ଥା କରିଛି। ତୁମକୁ ମୁଁ ଆଉ ଗୋଟିଏ ଆଖି ବି ଦେଇଛି, ଯାହା ଅନ୍ୟ କାହାକୁ ଦେଇନାହିଁ। ତା’ ଦ୍ବାରା ତୁମେ ନିଜ ଭିତରକୁ ଦେଖି ପାରିବ। କିନ୍ତୁ ସେ ଆଖି ସହଜରେ ଖୋଲିବ ନାହିଁ।

ମନୁଷ୍ୟ ପଚାରିଲା- ତାହା ଖୋଲିବ କେମିତି?

ଭଗବାନ କହିଲେ- ତୁମ ଭିତରେ ସଂପଦର ସୁନା ଖଣି ଅଛି। ତାକୁ ଖୋଜିବା ଲାଗି ଇଚ୍ଛା ଜାଗ୍ରତ ହେଲେ ସେ ଆଖି ଖୋଲିବାର ପ୍ରକ୍ରିୟା ଆରମ୍ଭ ହେବ। ଥରେ ତାହା ଖୋଲିଗଲେ ତୁମେ ଯେଉଁ ଅନ୍ଧତ୍ବ କଥା କହୁଛ, ସେଥିରୁ ମୁକ୍ତି ପାଇବ।

ମଣିଷ ସେଠାରୁ ଫେରିଲା ଏବ˚ ନିଜ ଭିତରର ସଂପଦ ଖୋଜିବାର ଉଦ୍ୟମ କଲା। ଯିଏ ତାହା ପାଇ ପାରିଲା, ସେ ନିଜ ଭିତରେ ଈଶ୍ବରଙ୍କ ସାନ୍ନିଧ୍ୟ ମଧ୍ୟ ଲାଭ କଲା। ଯିଏ ସେଭଳି ଇଚ୍ଛା କଲା ନାହିଁ, ସେ ଅନ୍ଧତ୍ବରୁ ମୁକ୍ତି ପାଇଲା ନାହିଁ, ଅନ୍ୟ ପଶୁପକ୍ଷୀଙ୍କ ଭଳି ଦୁଇଟି ଚକ୍ଷୁରେ ଦୁନିଆକୁ ଦେଖି ସନ୍ତୁଷ୍ଟ ରହିଲା।

ସମ୍ବନ୍ଧିତ ଖବର