ଦାନୀର ଉଦ୍ଦେଶ୍ୟ

କଥାଟିଏ - ଯାଯାବର

ଜଣେ ଅତ୍ୟନ୍ତ ଦାନୀ ରାଜା ଥିଲେ। କୌଣସି ଦରିଦ୍ର ତାଙ୍କ ପାଖରୁ ଖାଲି ହାତରେ ଫେରୁ ନ ଥିଲା।

ଦିନକର କଥା। ରାଜା ଦାନ ଦେଉଥିବା ବେଳେ ପହଞ୍ଚିଲେ ଜଣେ ସିଦ୍ଧ ଋଷି। ସେ ରାଜାଙ୍କୁ କହିଲେ- ମୁଁ ଆପଣଙ୍କ ସୁନାମ ଶୁଣି ଆସିଛି। ମୁଁ ଜାଣିବାକୁ ପାଇଛି ଯେ ଆପଣ ଜଣେ ଅତ୍ୟନ୍ତ ଦୟାଳୁ ରାଜା। ସେଥି ଲାଗି ଆପଣ ଦାନ ଦେବାରେ କାର୍ପଣ୍ୟ କରନ୍ତି ନାହିଁ। ତେଣୁ ଗୋଟିଏ ପ୍ରସ୍ତାବ ନେଇ ଆସିଛି। ଆପଣ ଶୁଣନ୍ତୁ। ଯଦି ଆପଣ ମୋ ପ୍ରସ୍ତାବରେ ସହମତ ହେବେ, ତେବେ ଆଗକୁ ବଢ଼ିବା।

ରାଜା ତାହା କ’ଣ ବୋଲି ଜାଣିବାକୁ ଚାହିଁଲେ।

ସିଦ୍ଧ ଋଷି କହିଲେ- ମୁଁ ଈଶ୍ବରଙ୍କ କୃପାର ଏମିତି ଶକ୍ତି ଲାଭ କରିଛି, ଯଦ୍ଦ୍ବାରା ପ୍ରତ୍ୟେକ ଦିନ ମୋର ଗୋଟିଏ ବର ଅବଶ୍ୟ ଫଳିଥାଏ। ତେଣୁ ମୁଁ ଏହା ବର ଦେବାକୁ ଚାହେଁ ଯେ ଏହି ରାଜ୍ୟରୁ ଦାରିଦ୍ର୍ୟ ହିଁ ହଟିଯାଉ। ତାହା ହେଲେ ତୁମ ଭଳି ଜଣେ ବିବେକୀ ରାଜାଙ୍କ ମନ ସନ୍ତୁଷ୍ଟ ହେବ।

ରାଜା କିନ୍ତୁ ଏଥିରେ ବିଶେଷ ଆଗ୍ରହୀ ହେଲେ ନାହିଁ। ସେ କହିଲେ- ମହାଶୟ, ଆପଣ ଯଦି ମୋ ରାଜ୍ୟରୁ ଦାରିଦ୍ର୍ୟ ଦୂର କରିଦେବେ, ତେବେ ମୁଁ କ’ଣ କରିବି? ମୁଁ ଦାନ ଦେବି କାହାକୁ?

ସିଦ୍ଧ ଋଷି ହସି ଉଠିଲେ ଓ କହିଲେ- ରାଜା ଏବେ ନିଜକୁ ଚିହ୍ନି ପାରିଲ ତ? ତୁମ ଦାନୀପଣର ଅସଲ ଉଦ୍ଦେଶ୍ୟ। ତୁମେ ସର୍ବଦା ଚାହିଁବ ଲୋ‌େକ ଦରିଦ୍ର ଥାଆନ୍ତୁୂ, ତୁମ ଠାରୁ ଦାନ ଲୋଡୁ ଥାଆନ୍ତୁ, ତୁମର ନାମ ଯଶ ବୃଦ୍ଧି ପାଉ ଥାଉ। ତୁମେ କ’ଣ ସତରେ ଦୟାଳୁ?

ରାଜା କିନ୍ତୁ ନିରୁତ୍ତର ରହିଲେ।

ସମ୍ବନ୍ଧିତ ଖବର