ଈଶ୍ବରଙ୍କ ଦଣ୍ତ

କଥାଟିଏ - ଯାଯାବର

ଗାଁରେ ଜଣେ ଉଦ୍ଧତ ଜମିଦାର ଥିଲେ। ତାଙ୍କର ଏକମାତ୍ର ପୁତ୍ର ଥିଲା ଆହୁରି ଉଦ୍ଧତ ଓ ଦୁଷ୍ଟ ସ୍ବଭାବର। ତା’ର ବ୍ୟବହାର ସ୍ଥାନୀୟ ଲୋକଙ୍କ ଲାଗି ଅସହ୍ୟ ହେଉଥିଲା। କିନ୍ତୁ ଜମିଦାରଙ୍କ ପୁଅ ହୋଇଥିବା ହେତୁ ସେମାନେ ଚୁପ୍‌ ରହୁଥିଲେ।

ଦିନକର କଥା। ଗାଁ ଲୋକେ ଜଣେ ସନ୍ନ୍ୟାସୀଙ୍କୁ ଗାଁକୁ ଆମନ୍ତ୍ରଣ କଲେ। କିନ୍ତୁ ଗାଁରେ ସାଧୁ ପହଞ୍ଚିଗଲା ପରେ ଜମିଦାରଙ୍କ ପୁଅର ମୁଣ୍ତରେ ଦୁଷ୍ଟ ଚିନ୍ତା ପଶିବା ଥିଲା ସ୍ବାଭାବିକ। ତେଣୁ ଥରେ ସନ୍ନ୍ୟାସୀ ଏକୁଟିଆ ଚାଲି ଚାଲି ବୁଲୁଥିବା ବେଳେ ଜମିଦାରଙ୍କ ପୁଅ ତାଙ୍କୁ ହଇରାଣ କରିବାକୁ ଲାଗିଲା। ସାଧୁ କିଛି ନ କହିବାରୁ ସେ ବିରକ୍ତ ହୋଇ ସାଧୁୁଙ୍କ ମୁହଁରେ ବିଧାଟିଏ ମାରି ସେଠାରୁ ପଳାଇଗଲା। ସାଧୁଙ୍କ ନାକ ଫାଟିଯିବାରୁ ରକ୍ତ ବହିଲା।

ଲୋକେ ତାଙ୍କୁ ଏଭଳି ଅବସ୍ଥାରେ ପାଇ ବ୍ୟଥିତ ହେଲେ। କାରଣ କଅଣ ଜାଣିବା ପରେ ସେମାନେ ଆଉ ସହି ନ ପାରି ଜମିଦାରଙ୍କ ପୁଅକୁ ଉତ୍ତମ ମଧୢମ ଦେବା ଲାଗି ଏକଜୁଟ ହେଲେ।

ଏହା ଜାଣି ସାଧୁ ସେମାନଙ୍କୁ ଅଟକାଇ କହିଲେ- ତୁମେମାନେ ଏ କ’ଣ କରିବାକୁ ଯାଉଛ? ତାହା ହେଲେ ତା’ର କାମ ଓ ତୁମ କାମ ଭିତରେ ପ୍ରଭେଦ କ’ଣ ରହିଲା?

ଗାଁ ଲୋକେ କହିଲେ- ତା’ ଅର୍ଥ ସେ ତା’ର କୃତକର୍ମ ଲାଗି କିଛି ଦଣ୍ତ ପାଇବ ନାହିଁ?

ସନ୍ନ୍ୟାସୀ କହିଲେ- ତା’ର ବ୍ୟବସ୍ଥା ଈଶ୍ବର କରିସାରିଛନ୍ତି। ସେ ଯଦି ନ ସୁଧୁରିବ ତେବେ ନିଜ ନିଆଁରେ ନିଜେ ଜଳିପୋଡ଼ି ଛାରଖାର ହୋଇଯିବ। ତାହା ହିଁ ଈଶ୍ବରଙ୍କ ଦଣ୍ତ।

ସମ୍ବନ୍ଧିତ ଖବର