ମନ୍ଦିରକୁ ଦାନ
କଥାଟିଏ - ଯାଯାବର
ଗୋଟିଏ ଜନପଦରେ ନୂଆ ମନ୍ଦିରଟିଏ ତିଆରି ଲାଗି ସ୍ଥାନୀୟ ବାସିନ୍ଦା ଚାହିଁଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାନ-ଦକ୍ଷିଣା ସ˚ଗ୍ରହ ଆରମ୍ଭ ହେଲା। ଏ ସମ୍ବନ୍ଧରେ ଜଣେ ଏକ ପ୍ରସ୍ତାବ ଦେଲେ ଯେ ଯିଏ ସବୁଠାରୁ ଅଧିକ ଦାନ ଦେବେ, ତାଙ୍କ ନାମ ଦାତା ତାଲିକାର ସର୍ବାଗ୍ରେ ରହିବ। ମନ୍ଦିର କାନ୍ଥରେ ଅଲିଭା ଅକ୍ଷରରେ ତାଲିକାକୁ ସ୍ଥାନ ଦିଆଯିବ। ସର୍ବାଗ୍ରେ ନିଜ ନାମ ଦେଖିବାକୁ କିଛି ଦାତା ଅଧିକରୁ ଅଧିକ ଦାନ ଦେବାକୁ ଲାଗିଲେ। ଦାନ ଦେବା ପାଇଁ ଏକରକମ ପ୍ରତିଯୋଗିତା ଚାଲିଲା। ଉଦ୍ୟୋକ୍ତାମାନେ ବିଶେଷ ଭାବେ ଉତ୍ସାହିତ ହେଲେ। କିନ୍ତୁ, ଜନପଦର ସବୁଠାରୁ ବିତ୍ତଶାଳୀ ବଣିକ କିଛି ଦେଉ ନ ଥାଆନ୍ତି! ଉଦ୍ୟୋକ୍ତାମାନେ ବିସ୍ମିତ ହେଲେ। ସେମାନେ ଯାଇ ତାଙ୍କ ପାଖରେ ପହଞ୍ଚିଲେ। ବଣିକ ମନ୍ଦିର ନିର୍ମାଣ ଓ ସେହି ପ୍ରସ୍ତାବ ବାବଦରେ ଅବଗତ ଥିବା ଜଣାଇଲେ। ସବୁଠାରୁ ଅଧିକ ଅର୍ଥ ଦାନ ଦେବାକୁ ବି କହିଲେ। ହେଲେ, ସର୍ତ୍ତଟିଏ ରଖିଲେ- ଦାତା ତାଲିକା ଶୀର୍ଷରେ ଯେପରି ତାଙ୍କର ନାମ ନ ରହେ। ଉଦ୍ୟୋକ୍ତାମାନେ ପୁଣି ଥରେ ବିସ୍ମିତ ହେଲେ। ତେବେ ତାଙ୍କ କଥା ରହିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ପଣ୍ତିତ ମନ୍ଦିର ପିଣ୍ତାରେ ବସି କାହାଣୀଟି ଶୁଣାଉଥିଲେ। କାହାଣୀ ସରିବା ପରେ ଉପସ୍ଥିତ ଶ୍ରୋତାଙ୍କୁ ପଚାରିଲେ- କ’ଣ ବୁଝିଲେ? ସମସ୍ତେ ନିରବ। ପଣ୍ତିତ କହିଲେ- ଦାତା ତାଲିକାର ସର୍ବାଗ୍ରେ ନିଜର ନାମ ଦେଖିବା ଉଦ୍ଦେଶ୍ୟରେ ଦିଆଯାଉଥିବା ଦାନ ପ୍ରକୃତରେ ଯଶ କାମନା ଚରିତାର୍ଥ ପାଇଁ। ଏ ଭଳି କାମନା ନ ରଖି ଦିଆଯାଉଥିବା ଦାନ ହିଁ ପ୍ରକୃତ ଦାନ। ଏଭଳି ଦାନ ଦେଲେ ମନକୁ ଯେଉଁ ସାତ୍ତ୍ବିକ ଆନନ୍ଦ ମିଳେ, ତାହା ଆକଳନ କରିବା ଅସ˚ଭବ। ଯିଏ ତାହା ବୁଝି ପାରିଲା, ସେ କେବେ ଦେଖାଇ ହେବା ଭଳି କୌଣସି କାମ କରିବ ନାହିଁ।