ବୁଦ୍ଧଙ୍କ ଜଣେ ପରମ ଶିଷ୍ୟ ପୂର୍ଣ୍ଣ ନିଜ ଶିିକ୍ଷା ସମାପ୍ତ ପରେ ବୁଦ୍ଧଙ୍କ ବାଣୀର ପ୍ରଚାର ନିମନ୍ତେ ଯିବାକୁ ମେଲାଣି ମାଗନ୍ତେ, ବୁଦ୍ଧ ପଚାରିଲେ- କେଉଁ ଦିଗରେ ଯିବ?
ପୂର୍ଣ୍ଣ କହିଲେ- ଶୁଖା ନାମରେ ଏକ ସ୍ଥାନ ଅଛି ଯେଉଁଠାକୁ କୌଣସି ଭିକ୍ଷୁ ଯାଇ ନାହାନ୍ତି; ସେଠାକୁ ଯିବି।
ବୁଦ୍ଧ କହିଲେ- ଜାଣିଛ ତ ସେଠାକୁ କେହି କାହିଁକି ଯାଇ ନାହାନ୍ତି? ସେଠାକାର ଲୋକେ ଅତି ନିଷ୍ଠୁର ଓ ଦୁଷ୍ଟ ପ୍ରକୃତିର! ସେଠାକୁ ଯାଅନାହିଁ।
ପୂର୍ଣ୍ଣ କହିଲେ- ମହାଭାଗ, ଏବେ ତ ସେଠାକୁ ଯିବା ନିତାନ୍ତ ଆବଶ୍ୟକ। ଅନ୍ଧକାର ହଟାଇବା ଲାଗି ତ ଆପଣଙ୍କ ବାଣୀ ଜରୁରୀ!
ବୁଦ୍ଧ ଦେଖିଲେ ପୂର୍ଣ୍ଣ ଦୃଢ଼ ପ୍ରତିଜ୍ଞ। ସେ କହିଲେ- ଠିକ୍ ଅଛି। ତେବେ ଯିବା ପୂର୍ବରୁ ତିନିଟି କଥା ଜାଣିବାକୁ ଚାହିଁବି। ଯଦି ସେଠାରେ ତୁମକୁ ଲୋକେ ଗାଳି ଦିଅନ୍ତି?
ପୂର୍ଣ୍ଣ କହିଲେ- ତା’ ହେଲେ ଭାବିବି ସେମାନେ କେତେ ଭଲ! କେବଳ ଗାଳି ଦେଲେ, ମାରି ନାହାନ୍ତି। ମାରି ପାରିଥାଆନ୍ତେ!
ବୁଦ୍ଧ କହିଲେ- ଆଉ ଯଦି ମାରନ୍ତି?
ପୂର୍ଣ୍ଣ କହିଲେ- ତେବେ ଭାବିବି, କେବଳ ମାରିଲେ। ଜୀବନରୁ ମାରି ଦେଇ ନାହାନ୍ତି। ତାହା ବି କରି ପାରିଥାଆନ୍ତେ!
ବୁଦ୍ଧ କହିଲେ- ପୂର୍ଣ୍ଣ, ଶେଷ ପ୍ରଶ୍ନ। ଯଦି ସେମିତି କରନ୍ତି?
ପୂର୍ଣ୍ଣ କହିଲେ- ତେବେ ଅନ୍ତିମ ବେଳାରେ ଭାବିବି ଯାହା ହେଉ ଏ ଜୀବନରୁ ମୁକ୍ତି ମିଳିଗଲା। ଆଉ ତ୍ରୁଟି କରିବାର ସୁଯୋଗ ରହିବ ନାହିଁ।
ପୂର୍ଣ୍ଣ ଶୁଖା ଗଲେ ଓ ବୁଦ୍ଧଙ୍କ ବାଣୀ ପ୍ରଚାର କରି ସେଠାକାର ଲୋକଙ୍କୁ ବଦଳାଇଲେ।
ତା’ ସହିତ ଜୀବନକୁ କେତେ ସକାରାତ୍ମକତାର ସହିତ ଦେଖାଯାଇ ପାରେ ତା’ର ଏକ ଉଦାହରଣ ରଖି ଗଲେ।