ନଇଁବାର ବାଗ

କଥାଟିଏ - ଯାଯାବର

ଦିନେ ସକାଳେ ରାଜା ଝରକା ପାଖରେ ଛିଡ଼ା ହୋଇଥିଲା ବେଳେ ଦେଖିଲେ ଯେ ସହରର ଝାଡ଼ୁଦାର ଆସିଲା। ରାଜାଙ୍କ ବଗିଚାରେ ଥିବା ଅାମ୍ବ ଗଛ ମୂଳରେ ଆଣ୍ଠୁ ମାଡ଼ି ବସି ମତ ମସ୍ତକ ହୋଇ ପ୍ରଣାମ କଲା। ତହୁଁ ଆ‌ମ୍ବ ଗଛର ଏକ ଶାଖା ନଇଁ ଆସିଲା ଏବଂ ପୂରା ଉପର ଭାଗରେ ଫଳି ପାଚିଥିବା ସୁବର୍ଣ୍ଣ ବର୍ଣ୍ଣର ଆମ୍ବ ତା’ କୋଳରେ ଖସିପଡ଼ିଲା।

ରାଜା ଏହା ଦେଖି ତତ୍‌କ୍ଷଣାତ୍‌ ଝାଡୁଦାରକୁ ଡାକିଲେ ଏବଂ ତାକୁ ସେହି ମନ୍ତ୍ରଟି ଶିଖାଇବାକୁ କହିଲେ, ଯାହା ବଳରେ ଆମ୍ବ ଗଛଟି ନଇଁଗଲା।
ଝାଡୁଦାର କହିଲା- ମଣିମା ମୋ‌େତ ମନ୍ତ୍ର ଜଣା ନାହିଁ। କେବଳ ମୁଁ ଯାହା କରୁଛି ତାହା କଲେ ବୋଧହୁଏ ଡାଳ ନଇଁ ଆ‌ସିବ। ଏହା କହି ‌ ସେ ନିଜେ ନତଜାନୁ ହୋଇ ମୁଣ୍ଡ ପୋତି ବସିବାର ବାଗ ଶିଖାଇ ଦେଲା। ରାଜା ତା’ର ବହୁତ ଅଭ୍ୟାସ କଲେ। ଦୁଇ ଦିନ ପରେ ଯେତେବେଳେ ସେ ଅବିକଳ ତା’ରି ଭଳି ନଇଁ ପାରିଲେ, ଗଛ ମୂଳରେ ଯାଇ ମୁଣ୍ଡ ପୋତି ବସିଗଲେ। କିନ୍ତୁ ଡାଳ ନଇଁଲା ନାହିଁ।

ରାଜା ବିସ୍ମିତ ହୋଇ ଝାଡ଼ୁଦାରକୁ ଡକାଇଲେ। ସେ ଏହାର କାରଣ ବୁଝିବାକୁ ଅସମର୍ଥ ହେଲା। ଅଥଚ ସେ ନିଜେ ମୁଣ୍ଡ ପୋତି ବସିଲେ ଗଛ ନଇଁ ଆସିଲା।

ରାଜା ଆଉ ବିଳମ୍ବ ନ କରି ସାଙ୍ଗେସାଙ୍ଗେ ରାଜଗୁରୁଙ୍କ ନିକଟକୁ ଦୌଡ଼ିଲେ ଓ ଏହାର କାରଣ କ’ଣ ବୋଲି ପଚାରିଲେ।

ରାଜଗୁରୁ କହିଲେ- ତୁମେ ନିଜେ ଠିକ ଭାବେ ନଇଁ ଜାଣୁନାହଁ ବୋଲି ଏମିତି ହେଉଛି। ଠିକ ଭାବେ ନଇଁବାର ଅର୍ଥ ହେଲା ନିଜକୁ ସଂପୂର୍ଣ୍ଣ ନ୍ୟୂନ କରିଦେବା। ସେହି ଅବସ୍ଥାରେ ତୁମେ ଯେମିତି ରାଜା ହୋଇ ରହିବ ନାହିଁ। ଝାଡୁଦାରକୁ ସାମାନ୍ୟ ବୋଲି ନ ମଣି ପ୍ରକୃତ ଗୁରୁ ଭଳି ମଣୁଥିବ। ନିଜକୁ ଅକିଂଚନ ନ କଲେ ନଇଁବାର କୌଣସି ମୂଲ୍ୟ ନ ଥାଏ।

ରାଜା ଯଦି ସେମିତି କରିପାରିଥିବେ, ତେବେ ଗଛ ଅବଶ୍ୟ ନଇଁଥିବ।

ସମ୍ବନ୍ଧିତ ଖବର