ମାଳୀ ନା ଚାଷୀ?

କଥାଟିଏ - ଯାଯାବର

ଜଣେ ଭଦ୍ରଲୋକ ହତାଶ ହୋଇ ଗୁରୁଙ୍କ ପାଖରେ ପହଞ୍ଚି ତାଙ୍କୁ କହିଲେ- ଆଜ୍ଞା, ମୋ ଭଳି ଜଣେ ଶୃଙ୍ଖଳିତ ଲୋକର ଅବସ୍ଥା ଦେଖନ୍ତୁ। ମୁଁ ଚାହିଁଥିଲି ମୋ ପିଲାମାନେ ମୋ ଭଳି ଶୃଙ୍ଖଳିତ ହୁଅନ୍ତୁ। ସେଥିପାଇଁ ମୁଁ ପିଲାମାନଙ୍କ ଲାଗି ମୋ ଘରେ କଠୋର ଶୃଙ୍ଖଳା ରଖିଲି। ବହୁତ ନିୟମ ରଖିଲି। କିନ୍ତୁ କିଛି ଲାଭ ହେଲା ନାହିଁ। ମୁଁ ଚାହୁଁଥିଲି ମୋ ପିଲାମାନେ ବହୁତ ପାଠ ପଢ଼ନ୍ତୁ, ଭଲ ଚାକିରି କରନ୍ତୁ। କିନ୍ତୁ ଦେଖିଲା ବେଳକୁ ମୋର ଗୋଟିଏ ପୁଅ କ୍ରିକେଟ୍‌ ଖେଳାଳି ହେବାକୁ ଚାହୁଁଛି ତ ଆଉ ଜଣେ ଚାହୁଁଛି ସମାଜ ସେବା କରିବ ବୋଲି। ମୁଁ ସେଥି ଲାଗି ନିରାଶ ହୋଇଯାଇଛି।

ଗୁରୁ ଭଦ୍ରଲୋକଙ୍କୁ କହିଲେ- ଆପଣ କଥାଟା ଠିକ ଭାବେ ବୁଝିନାହାନ୍ତି ବୋଲି ଏମିତି ବ୍ୟସ୍ତ ହେଉଛନ୍ତି। ଈଶ୍ବର ଆପଣଙ୍କୁ ଗୋଟିଏ ମାଳୀ କରି ପୃଥିବୀକୁ ପଠାଇଛନ୍ତି। କିନ୍ତୁ ଆପଣ ଜଣେ ଚାଷୀ ଭଳି ହେବାକୁ ଚାହୁଁଛନ୍ତି। ଈଶ୍ବର ଏ ପୃଥିବୀକୁ ଏକ ଉଦ୍ୟାନତୁଲ୍ୟ ମନୋରମ ସ୍ଥାନ ଭାବେ ଦେଖିବାକୁ ଚାହାନ୍ତି। ସେଥିଲାଗି ସେ ବ୍ୟବସ୍ଥା କରିଛନ୍ତି। ଉଦ୍ୟାନରେ ବିଭିନ୍ନ ରଙ୍ଗ ଓ ସୌରଭର ଫୁଲ ଫୁଟେ। ତା’ ଭିତରେ ଫଳ ଗଛ ଏପରିକି ବିଭିନ୍ନ ପ୍ରକାରର ସପ୍ତଫେଣି ମଧୢ ସ୍ଥାନ ପାଏ। ଜଣେ ମାଳୀ ହିଁ ଗୋଟିଏ ଉପଯୁକ୍ତ ଉଦ୍ୟାନ ତିଆରି କରିପାରେ। କିନ୍ତୁ ଆପଣ ଜଣେ ଚାଷୀ ଭଳି କେବଳ ଗୋଟିଏ ପ୍ରକାର ଫସଲ କରିବାକୁ ବାହାରିଛନ୍ତି। ଏହା ଦ୍ବାରା ତ ଆପଣ ଈଶ୍ବରଙ୍କ ଇଚ୍ଛା ବିରୋଧରେ ଯାଉଛନ୍ତି?

ତେଣୁ ଆପଣ ପିଲାମାନଙ୍କ ପ୍ରତିଭା ଚିହ୍ନନ୍ତୁ। ପ୍ରତିଭାକୁ ଈଶ୍ବରଙ୍କ ଆଶୀର୍ବାଦ ବୋଲି ଭାବି ତାକୁ ସମ୍ମାନ ଜଣାଇବା ସହିତ ସେ ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି ଉଦ୍ୟମ କରନ୍ତୁ।

ସମ୍ବନ୍ଧିତ ଖବର