ଚିହ୍ନିଲି କେମିତି!

କଥାଟିଏ - ଯାଯାବର

ଗୋଟିଏ ଦପ୍ତରକୁ ନୂଆ ଅଧିକାରୀ ଆସିଲେ। ତାଙ୍କ ପୂର୍ବରୁ ଥିବା ଅଧିକାରୀ ଖୁବ୍‌ ତୋଷାମଦପ୍ରିୟ ଥିଲେ। ଦପ୍ତରର କିଛି ତୋଷାମଦିଆ ତାଙ୍କ ଚାପୁଲୁସି କରୁଥିଲେ। ସେଇମାନଙ୍କ ରାଜ ଚାଲୁଥିଲା।

ତେବେ ନୂଆ ଅଧିକାରୀ ଜଣକ କେମିତି ତାହା ଜାଣିବାର ଉପାୟ ନ ଥିଲା। ତଥାପି ତୋଷାମଦିଆମାନେ କହୁଥିଲେ- ତେଲ ମାରି ଜାଣିଲେ ଭଗବାନ ବି ତୁମ କଥାରେ ଉଠବସ୍‌ ହେବେ।

ନୂଆ ଅଧିକାରୀ ଆସିଲେ। ସମସ୍ତେ ଦେଖିଲେ ଯେ ତୋଷାମଦିଆମାନେ ସେମାନଙ୍କ କାମରେ ଲାଗିଲେ। କିନ୍ତୁ କିଛି ଦିନ ପରେ ନୂଆ ଅଧିକାରୀ ଜଣକ ଏମିତି କିଛି ପଦକ୍ଷେପ ନେଲେ ଯାହା ଦପ୍ତରରେ ମନ ଦେଇ କାମ କରୁଥିବା ଲୋକଙ୍କ ଲାଗି ଉତ୍ସାହପ୍ରଦ ଥିଲା। ତୋଷାମଦିଆମାନେ ଏବେ ହଟିବା ଆରମ୍ଭ କଲେ।

ଦିନେ ଜଣେ ନିଷ୍ଠାପର କର୍ମଚାରୀ ନୂତନ ଅଧିକାରୀଙ୍କୁ ପଚାରିଲେ- ସାର‌୍‌ ଆପଣ ତୋଷାମଦିଆମାନଙ୍କୁ ଚିହ୍ନିଲେ କେମିତି?

ଅଧିକାରୀ ଜଣକ କହିଲେ- ପିଲା ଦିନେ ବାପା ମୋତେ ଗୋଟିଏ କଥା କହିଥିଲେ। ତାହା ହେଲା ଯଦି କେହି ତୁମକୁ ପ୍ରଶ˚ସା କଲା ବେଳେ ତୁମ ସହ ତୁଳନା କରି ଅନ୍ୟକୁ ଛୋଟ କରୁଛି, ତେବେ ତା’ ଠାରୁ ଦୂରେଇ ରହିବ। ଏଠି ଯେଉଁମାନେ ମୋତେ ଘେରି ରହୁଥିଲେ ସେମାନେ ମୋ ପୂର୍ବବର୍ତ୍ତୀ ଅଧିକାରୀଙ୍କ ଦୋଷ ତ୍ରୁଟି ଦେଖାଇ ମୁଁ କେତେ ଭଲ ତାହା କହୁଥିଲେ। ମୁଁ ସେଇ କ୍ଷଣି ଜାଣିଲି ଯେ ଏଇମାନେ ଚାଟୁକାର। ମୁଁ ଯିବା ପରେ ଏମାନେ ମଧ୍ୟ ମୋର ନିନ୍ଦୁକ ପାଲଟିବେ।

ସମ୍ବନ୍ଧିତ ଖବର