ଥରେ ତରୁଣ ରାଜପୁତ୍ର ସାଙ୍ଗମାନଙ୍କ ସହ ଗମାତ କରୁଥିବା ବେଳେ ଜଣେ ଚାଷୀଙ୍କ ବଗିଚାରେ ପଶି ସବୁ କିଛି ନଷ୍ଟଭ୍ରଷ୍ଟ କରିଦେଲେ। ଚାଷୀ ଜଣକ ଦୁଃଖରେ ଭାଙ୍ଗିପଡ଼ିଲେ। ତାଙ୍କର ଅନେକ ଦିନର ପରିଶ୍ରମ ନଷ୍ଟ ହୋଇଗଲା। ନଷ୍ଟଭ୍ରଷ୍ଟ କରିଥିବା ଦଳରେ ଖୋଦ୍‌ ରାଜପୁତ୍ର ଥିବାରୁ ରାଜା ଯେ, ତାଙ୍କ ଅଭିଯୋଗ ଶୁଣିବେନାହିଁ, ସେ ମନେ ମନେ ଭାବିନେଲେ। ଚାଷୀଙ୍କ ପତ୍ନୀ କିନ୍ତୁ କହିଲେ- ତୁମେ ରାଜାଙ୍କ ପାଖରେ ଅଭିଯୋଗ କର। କାରଣ ଯେହେତୁ ଏଥିରେ ରାଜପୁତ୍ର ସ˚ପୃକ୍ତ, ଏହା ଛୋଟ କଥା ନୁହେଁ। ଏହା ରାଜାଙ୍କ ନ୍ୟାୟ ବିଚାରର ଏକ ପରୀକ୍ଷା ହେବ।

Advertisment

ତେଣୁ ଚାଷୀ ରାଜାଙ୍କ ନିକଟରେ ଅଭିଯୋଗ କଲେ। ରାଜା ସବୁ କଥା ଶୁଣି ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ରାଜକୁମାର ଓ ତାଙ୍କ ସାଙ୍ଗମାନଙ୍କୁ ରାଜ ଉଆସର ବଗିଚା କାମରେ ଲଗାଇ ଦେଲେ। କହିବା ବାହୁଲ୍ୟ ବଗିଚା କାମ ବେଶ୍‌ କଠିନ। ବନ୍ଧୁମାନଙ୍କ ସହ ରାଜପୁତ୍ର ସକାଳୁ ସନ୍ଧ୍ୟା ଯାଏ କାମ କରି ହାଲିଆ ହେଲେ। ଏହା ରାଣୀଙ୍କୁ ଅସହ୍ୟ ହେଲା। ସେ ରାଜାଙ୍କୁ କହିଲେ- ଏ କି ବିଚାର? ଚାଷୀଙ୍କୁ ତ କ୍ଷତିପୂରଣ ଦେଲେ। ପୁଣି ପୁଅକୁ ଏଭଳି ଦଣ୍ତ ଦେବାର କାରଣ କ’ଣ?

ରାଜା କହିଲେ- ମୁଁ ସବୁ ବୁଝୁଛି। ହେଲେ ଏମିତି ବିଚାର ପଛରେ ଦୁଇଟି କାରଣ। ପ୍ରଥମତଃ, ନ୍ୟାୟ ବିଚାର ପ୍ରକୃତରେ କ’ଣ ରାଜପୁତ୍ର ହୃଦୟଙ୍ଗମ କରିବେ। ଦ୍ବିତୀୟତଃ, ସେ ଚାଷୀ କରିଥିବା ପରିଶ୍ରମ ବାବଦରେ ଧାରଣା କରିପାରିବେ। ଏହା ତାଙ୍କୁ ଏକ ଉତ୍ତମ ମଣିଷ ଭାବେ ଗଢ଼ିବ।