ଜଣେ ପ୍ରବଚକ ଚିଲ ଓ ଘରଚଟିଆଙ୍କ କାହାଣୀ କହୁଥିଲେ। ସେ କହିଲେ ଯେ ଚିଲ କେତେ ଉଚ୍ଚତାରେ ନ ଉଡ଼େ ସତେ! ଆଉ ଘରଚଟିଆ କେତେ ତଳେ। କିନ୍ତୁ ଘରଚଟିଆ ତ କେବେ ହେଲେ ଚିଲକୁ ଈର୍ଷା କରେନାହିଁ। କିନ୍ତୁ ମଣିଷ ଏତେ ବୁଦ୍ଧିମାନ ହୋଇ ବି ଆଉ କାହାକୁ ଅଧିକ ଉଚ୍ଚକୁ ଉଠିଯିବାର ଦେଖିଲେ ଈର୍ଷାରେ ଜଳିଯାଏ।
ଏ ପ୍ରବଚନ ଜଣେ ଶିକ୍ଷକ ତାଙ୍କର କିଛି ଛାତ୍ରଙ୍କ ସହିତ ମିଶି ଶୁଣୁଥିଲେ। ପ୍ରବଚନ ପରେ ସେ ସେମାନଙ୍କୁ କହିଲେ- କଥାଟା ତ ସତ। କିନ୍ତୁ ତାକୁ ଆଉ ଗୋଟିଏ ଦୃଷ୍ଟିରୁ ବି ଦେଖିହେବ। ତେଣୁ କଥାଟିଏ ଶୁଣ।
ଥରେ ଘରଚଟିଆଙ୍କ ଭିତରୁ ଗୋଟିଏ ବିଚକ୍ଷଣ ଓ ବିରଳ ପ୍ରତିଭାସ˚ପନ୍ନ ଘରଚଟିଆ ଭାବିଲା- ସେ ଚିଲର ଉଚ୍ଚତାରେ ଉଡ଼ିବ। ସେ ଚେଷ୍ଟା କଲା। ଦିନେ ଦେଖାଗଲା ଯେ ସେ ସିନା ଚିଲ ଭଳି ଏତେ ଉଚ୍ଚକୁ ଯାଇପାରୁନାହିଁ, କିନ୍ତୁ ଘରଚଟିଆମାନେ କେବେ କଳ୍ପନା କରି ପାରି ନ ଥିବା ଭଳି ଉଚ୍ଚତାରେ ଉଡ଼ିପାରୁଛି। ତା’ ପରେ ତା’ର ଦେଖାଦେଖି ଘରଚଟିଆମାନଙ୍କ ଭିତରେ ସାମର୍ଥ୍ୟ ପ୍ରତିପାଦନ ଲାଗି ପ୍ରତିଯୋଗିତା ଲାଗିଗଲା।
ସେମାନେ ପ୍ରତିଯୋଗିତାରେ ମାତିଲେ ଏବ˚ ଯିଏ ପଛରେ ପଡ଼ିଗଲା ସେ ଆଗକୁ ଯାଇ ପାରୁଥିବା ଚଟିଆମାନଙ୍କୁ ଈର୍ଷା କଲା।
ତା’ ପରେ ଶିକ୍ଷକ କହିଲେ- ପ୍ରଜାମାନେ କେବେ ହେଲେ ରାଜାଙ୍କୁ ଈର୍ଷା କରନ୍ତି ନାହିଁ। କିନ୍ତୁ ସେଇ ପ୍ରଜାମାନଙ୍କ ଭିତରୁ ଜଣେ ଯଦି ଉପରକୁ ଉଠିଯାଇ ସାମନ୍ତ ହୋଇଗଲା, ସେ ଈର୍ଷାର ପାତ୍ର ହୋଇଯାଏ। ମଣିଷ ପରସ୍ପରକୁ ଈର୍ଷା କରିବାର କାରଣ ହେଉଛି ସେ ପାଇଥିବା ବୁଦ୍ଧି ଓ ଅହ˚କାର। ବୁଦ୍ଧି ହେତୁ ସେ ଅନ୍ୟ ଠାରୁ ଆଗରେ ରହିବାକୁ ପ୍ରତିଯୋଗିତା କରେ ଓ ଅହ˚କାର ଯୋଗୁ ନିଜ ପରାଜୟ ସହି ନ ପାରି ଅପରକୁ ଈର୍ଷା କରେ।