ନିଜକୁ ଜାଣିବା ବଡ଼ କଥା

କଥାଟିଏ - ଯାଯାବର

ରାମ ବାବୁ ଓ ଶ୍ୟାମ ବାବୁଙ୍କ ଭିତରେ ଭାରି ବନ୍ଧୁତା। ଥରେ ଦୁହେଁ ଗୋଟିଏ କାମରେ ଏକ ନୂଆ ସହରକୁ ଗଲେ। ରାମ ବାବୁ ବାଟରେ କହିଲେ- ମୁଁ ଚାକିରିରେ ଥିବା ବେଳେ ରଘୁ ବୋଲି ଜଣେ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲି। ନ ହେଲେ ସେ ତଳିତଳାନ୍ତ ହୋଇ ଯାଇଥାଆନ୍ତେ। କେବଳ ସେତିକି ନୁହେଁ, ତା’ ପରେ ସେ ଏଭଳି ଉପରକୁ ଉଠିଲେ ଯେ ଆଜି ସେ ରଘୁ ବାବୁ ଭାବେ ସହରର ଜଣେ ନାମଜାଦା ଲୋକ। ଆମେ ତାଙ୍କ ପାଖରେ ରହିବା।

ଦୁହେଁ ରଘୁ ବାବୁଙ୍କ ଘରକୁ ଗଲେ। ରଘୁ ବାବୁ ତାଙ୍କ ବ୍ୟବସାୟ ତଥା ଅନ୍ୟାନ୍ୟ କାମରେ ବ୍ୟସ୍ତ ଥିଲେ। ରାମ ବାବୁ ଓ ଶ୍ୟାମ ବାବୁଙ୍କୁ ଦେଖି ତାଙ୍କ ମୁହଁ ଟିକିଏ ଶୁଖିଗଲା। ସେ କେବଳ ଉପର ଠାଉରିଆ ଭାବେ ସମ୍ଭାଷଣ ଜଣାଇ ତୁନି ପଡ଼ିଗଲେ।

ରାମ ବାବୁଙ୍କ ଆଶା ମରିଗଲା। ଦୁହେଁ ରଘୁ ବାବୁଙ୍କ ଠାରୁ ବିଦାୟ ନେଇ ନିରବରେ ବାହାରିଗଲେ।

ବାହାରେ ଶ୍ୟାମ ବାବୁ ଆରମ୍ଭ କଲେ- ମୁଁ ଏଇଥି ଲାଗି କାହାର ଉପକାର କରେନା। ଦେଖିଲ ତ ଅବସ୍ଥା। ୟେ ହେଲା ମଣିଷର ଦସ୍ତୁର। ଲୋକଙ୍କ ମନ ଏତେ ଛୋଟ ବି ହୋଇଯାଇପାରେ!

ଏହା ଶୁଣି ରାମ ବାବୁ ହସିଦେଲେ ଓ କହିଲେ- ତୁମେ ଅଯଥାରେ କଷ୍ଟ ପାଉଛ। ମୁଁ କିନ୍ତୁ ସେମିତି କିଛି ଭାବିଲି ନାହିଁ। ହୁଏ’ତ ସମୟ ବଦଳି ଯାଇଛି। ରଘୁ ବାବୁଙ୍କର ଆହୁରି କିଛି ଗୁରୁତ୍ବପୂର୍ଣ୍ଣ କାମ ଅଛି। ହୁଏ’ତ ସେ କିଛି ଅସୁବିଧାରେ ଅଛନ୍ତି। ଆଉ ତାଙ୍କର ଛୋଟ ମନ କଥା ଯେଉଁ କହିଲ, ଏବେ କହ ତୁମେ ତାଙ୍କ ବିଷୟରେ ଯାହା କହୁଥିଲ ତାହା କେଉଁ ବଡ଼ ମନର ପରିଚୟ? ନିଜକୁ ଠିକ ଭାବେ ଦେଖି ଜାଣିବା ବଡ଼ କଥା। ତାହା ନ ହେଲେ ନିଜର ତ୍ରୁଟି ଥିଲେ ବି ଅନ୍ୟମାନଙ୍କ ତ୍ରୁଟି ଆଖିରେ ପଡ଼େ। ହଉ ଏବେ ଆସ ଅନ୍ୟ କିଛି ବିକଳ୍ପ ଖୋଜିବା।

ସମ୍ବନ୍ଧିତ ଖବର