ବନ୍ଧୁଙ୍କ ଇଲମ!

କଥାଟିଏ - ଯାଯାବର

ଜଣେ ଭଦ୍ରଲୋକ ହଠାତ୍‌ ସବୁ କିଛି ଭୁଲିଯିବାକୁ ଆରମ୍ଭ କଲେ। ବିସ୍ମରଣ ଏତେ ଗଭୀର ହେଲା ଯେ ସେ ନିଜର ଦୈନନ୍ଦିନ କାର୍ଯ୍ୟ ବି ଭୁଲିବାକୁ ବସିଲେ। ରାତିରେ ଶଯ୍ୟାକୁ ଯିବା ପୂର୍ବରୁ ଯଦି ସେ ପୋଷାକ ବଦଳାଇ ଦେଲେ ସକାଳେ ଉଠିଲେ କେଉଁ ପୋଷାକ କେମିତି ପିନ୍ଧିବାକୁ ହେବ ତାହା ବି ଜାଣି ପାରୁ ନ ଥିଲେ। ବିବାହ କରି ନ ଥିବାରୁ ସେ ଏକାକୀ ରହୁଥିଲେ। ଏଣିକି ସେ ଆଉ ଘରୁ ବାହାରିଲେ ନାହିଁ, ପୋଷାକ ପତ୍ର ଦେହରୁ ଖୋଲିଲେ ନାହିଁ। ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଲା।

ଜଣେ ବନ୍ଧୁ ଏପରି ଅବସ୍ଥାରେ ପରାମର୍ଶ ଦେଲେ ଯେ ସେ ଗୋଟିଏ ଖାତାରେ ସବୁ କିଛି ଲେଖି ରଖନ୍ତୁ ଓ ତା’ ଅନୁସାରେ କାମ କରନ୍ତୁ। ବନ୍ଧୁ କିଛି ଦିନ ତାଙ୍କ ପାଖରେ ରହି କେମିତି ସବୁ କିଛି କରାଯିବ ତାହା ଦେଖାଇ ଦେଲେ- ଖାତାଟି କେଉଁଠି ରହିବ, କେମିତି ତାହା ଦେଖାଯିବ ଓ କେମିତି ସେ ଅନୁସାରେ କାମ କରାଯିବ, ସବୁ କିଛି। ଏମିତି କିଛି ଦିନ ସାହାଯ୍ୟ କଲା ପରେ ବନ୍ଧୁ ଜଣକ ତାଙ୍କୁ ଛାଡ଼ି ନିଜ ଘରକୁ ଗଲେ।

କିଛି ଦିନ ପରେ ସେ ଯେତେବେଳେ ଭଦ୍ରଲୋକଙ୍କୁ ଦେଖିବାକୁ ଆସନ୍ତି, ଦେଖିଲେ ଯେ ସେ ପୁଣି ପୂର୍ବବତ୍‌ ହୋଇଯାଇଛନ୍ତି। ସେ ଖାତାଟି ଖୋଲି ଦେଖି ଚକିତ ହୋଇଗଲେ। କାରଣ ପ୍ରତିଦିନ କ’ଣ କରାଯିବ ତାହା ଖାତାରେ ଲେଖା ଚାଲିଥିଲା।

ସେ ବନ୍ଧୁଙ୍କୁ ପାଖରେ ବସାଇ ପଚାରିଲେ- ବାଃ ସବୁ ତ ଲେଖିଛ। ସେଇ ଅନୁସାରେ କାମ କରୁନାହଁ କାହିଁକି?

ଭଦ୍ରଲୋକ ଉତ୍ତର ଦେଲେ- ଲେଖିବା କଥାଟାତ ମନେ ରହିଛି। କିନ୍ତୁ କାହା ପାଇଁ ଲେଖା ହୋଇଛି ତାହା ମନେ ପକାଇବାକୁ ଯେତେ ଚେଷ୍ଟା କଲି ମନେ ପଡ଼ିଲା ନାହିଁ।

କଥାଟି କହି ଗୁରୁ କହିଲେ- ଆମମାନଙ୍କ ଅବସ୍ଥା ସେଇ ଭୁଲି ଯାଉଥିବା ଭଦ୍ରଲୋକଙ୍କ ଭଳି। ସବୁ କିଛି ତ କରୁଛେ, କିନ୍ତୁ ଆମ କାର୍ଯ୍ୟର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ଭୁଲିଯାଇଛେ।

ସମ୍ବନ୍ଧିତ ଖବର