ଭୟଶୂନ୍ୟ ସନ୍ନ୍ୟାସୀ

କଥାଟିଏ - ଯାଯାବର

ଭାରତ ଜୟ କରି ସ୍ବଦେଶକୁ ଫେରୁଥିବା ବୀର ସିକନ୍ଦର ଜଣେ ସନ୍ନ୍ୟାସୀଙ୍କୁ ଦେଖିଲେ। ସେ ପୂର୍ବରୁ କୌଣସି ସନ୍ନ୍ୟାସୀଙ୍କୁ ଦେଖି ନ ଥିଲେ। ତେଣୁ ସେ ତାଙ୍କୁ ନିଜ ରାଜ୍ୟ ମାସିଡୋନିଆକୁ ନେଇଯିବାକୁ ଭାବିଲେ।

ତେଣୁ ସେ ସନ୍ନ୍ୟାସୀଙ୍କୁ ଅଟକାଇ କହିଲେ- ମୋ ସହିତ ଚାଲ।

ସନ୍ନ୍ୟାସୀ ଏହା ଶୁଣି ଅବିଚଳିତ କଣ୍ଠରେ କହିଲେ- ମୁଁ ଯିବି ନାହିଁ।

ଇତିମଧୢରେ ଦିଗ୍‌ବିଜୟୀ ସିକନ୍ଦର ଭୀଷଣ ଗର୍ବୀ ହୋଇଯାଇଥିଲେ। ସେ ସଙ୍ଗେ ସଙ୍ଗେ ତରବାରୀ ବାହାର କରି ସନ୍ନ୍ୟାସୀଙ୍କ ଗଳାରେ ଲଗାଇ ପଚାରିଲେ- ମୁଁ ସିକନ୍ଦର। ମୋତେ ମନା କରିବାର ସାହସ କାହାର ନାହିଁ। ଏବେ ମୋ ସହିତ ଚାଲ।

ସନ୍ନ୍ୟାସୀ ହସିଲେ ଓ କହିଲେ- ମୋ ବେକ କାଟିବାର ଧମକ ଦିଅନାହିଁ। ମୁଁ ମୋ ବେକକୁ ଅନେକ ଦିନରୁ କାଟିଦେଇ ସାରିଛି। ମୋ ବେକ କଟିଗଲେ ମୋ ସ୍କନ୍ଧଚ୍ୟୁତ ଶିର ମାଟିରେ ପଡ଼ିବାର ଦୃଶ୍ୟ ତୁମେ ଦେଖିବ; ମୁଁ କିନ୍ତୁ ପୂର୍ବରୁ ମୋ ସହିତ ସେମିତି ହେଉଥିବାର ଦୃଶ୍ୟ ଦେଖି ସାରିଛି।

ସିକନ୍ଦର ତଟସ୍ଥ ହୋଇଗଲେ।

ସେ କହିଲେ- ତୁମର ସାହସ ମୋ ଠାରୁ ଅଧିକ ଦେଖୁଛି। ତୁମେ କେମିତି ଏତେ ଭୟଶୂନ୍ୟ ହୋଇପାରିଲ?

ସନ୍ନ୍ୟାସୀ କହିଲେ- ତୁମେ ଏ ପୃଥିବୀକୁ ଜୟ କରି ସାରିବା ପରେ ବି ତୁମେ ସ˚ପୂର୍ଣ୍ଣ ସନ୍ତୁଷ୍ଟ ନୁହଁ। ତୁମ ତୃଷା ମେଣ୍ଟିନାହିଁ। କିନ୍ତୁ ମୁଁ ମୋ ଜୀବନ ନେଇ ଏତେ ସନ୍ତୁଷ୍ଟ ଯେ ଆଉ କିଛି ଲାଭ କରିବାର ଲେଶମାତ୍ର ଆଶା ନାହିଁ। ତେଣୁ ଜୀବନ ଥିବା ବା ରହିବା ମୋ ଲାଗି କୌଣସି ମୂଲ୍ୟ ରଖେ ନାହିଁ।

ସମ୍ବନ୍ଧିତ ଖବର