ଜଣେ ଲୋଭୀ ବଣିକ ଦୁର୍ମୂଲ୍ୟବାନ ଚିଜମାନ ଧରି ଦୂର ସ୍ଥାନକୁ ବ୍ୟବସାୟ କରିବା ପାଇଁ ବାହାରିଲେ। ବାଟରେ ଏକ ନଈ ପଡ଼ିଲା। ସେଥିଲାଗି ଗୋଟିଏ ଡଙ୍ଗାରେ ସବୁ ଜିନିଷ ଲଦି ସେ ଆର ପାରିକୁ ଯିବାକୁ ପ୍ରସ୍ତୁତ ହେଲେ। ଏଇ ସମୟରେ ସେ ଦେଖିଲେ ନାଉରିଆ ଗୋଟିଏ ଶୁଖିଲା କାଠ ଗଣ୍ତି ବି ଡଙ୍ଗାରେ ଲଦିଛି। ବଣିକ ଅସନ୍ତୁଷ୍ଟ ହୋଇ ପଚାରିଲେ- ଏଟା କ’ଣ? ଡଙ୍ଗା ଲାଗି ତ ପୂରା ଭଡ଼ା ମୁଁ ଦେଉଛି। ସେଥିରେ କେବଳ ମୋ ଜିନିଷ ଯିବା କଥା। ଇଏ କ’ଣ? ବୃଦ୍ଧ ନାଉରିଆ କହିଲା- ଜାଳ ଲାଗି କାଠଟିଏ ପାଇଲି। ଆର ପାରିରେ ମୋ ଘରକୁ ନେବାକୁ ଅନୁମତି ଦିଅନ୍ତୁ। ବଣିକ ଆଉ କ’ଣ କହିଥାଆନ୍ତେ କେଜାଣି, ପାଖରେ ଛିଡ଼ା ହୋଇ ସବୁ କିଛି ଦେଖୁଥିବା ଜଣେ ସାଧୁ କହିଲେ- ଅନୁମତି ଦିଅନ୍ତୁ ଓ ଏହାକୁ ଭଗବାନଙ୍କ ଇଚ୍ଛା ବୋଲି ମଣନ୍ତୁ।
ଡଙ୍ଗାରେ ଯାତ୍ରା ଆରମ୍ଭ ହେଲା। କିନ୍ତୁ ଦୁର୍ଭାଗ୍ୟ ମଝି ନଈରେ ଦୁର୍ଘଟଣାଗ୍ରସ୍ତ ହୋଇ ଡଙ୍ଗାଟି ବୁଡ଼ିଗଲା। ବଣିକ ହାୟ, କ’ଣ ହେଲା ବୋଲି ଚିତ୍କାର କରୁ କରୁ ତାଙ୍କ ଆଗରେ ସବୁ ମୂଲ୍ୟବାନ ଜିନିଷତକ ନଈର ଅତଳ ଗର୍ଭରେ ବୁଡ଼ିଗଲା। ତେବେ, ନିଜ ଜୀବନକୁ ବଞ୍ଚାଇବା ଲାଗି କାଠ ଗଣ୍ତିଟିକୁ ଧରି ସେ କୌଣସିମତେ ଭାସି ରହିଲେ।
ପରେ ତାଙ୍କୁ ଉଦ୍ଧାର କରାଗଲା। କୂଳରେ ପହଞ୍ଚି ସେ ହରାଇଥିବା ଜିନିଷ ଲାଗି କାନ୍ଦୁଥିବା ବେଳେ ଜଣେ ଉଦ୍ଧାରକାରୀ କହିଲେ- ନିଜ ଜୀବନ ବଞ୍ଚି ଯାଇଛି ବୋଲି ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ। ଜିନିଷ ହରାଇବା ଠାରୁ ଯଦି ମରିଯିବା ଭଲ ଥିଲା ବୋଲି ଆପଣ ଭାବୁଛନ୍ତି, ତେବେ ପ୍ରାଣ ବିକଳରେ କାଠ ଗଣ୍ତିକୁ ଧରି ଭାସିବାକୁ ଚେଷ୍ଟା କରୁଥିଲେ କାହିଁକି?