ଦ୍ୱିତୀୟ ସୁଯୋଗ

କଥାଟିଏ - ଯାଯାବର

ଜଣେ ରାଜା ତାଙ୍କ ରାଜ୍ୟରେ ଅତି ସାମାନ୍ୟ ଅପରାଧ ଲାଗି ମୃତ୍ୟୁଦଣ୍ତର ବ୍ୟବସ୍ଥା କଲେ। ବୃଦ୍ଧ ମହାମନ୍ତ୍ରୀ କିନ୍ତୁ ଏହାର ସପକ୍ଷରେ ନ ଥିଲେ। ସେ ରାଜାଙ୍କୁ ବୁଝାଉଥିଲେ ବି ରାଜା ବୁଝୁ ନ ଥିଲେ।

ଥରେ ଜଣେ ଅପରାଧୀ ଧରା ହୋଇ ରାଜାଙ୍କ ନିକଟକୁ ବିଚାର ଲାଗି ଆସିଲା। ରାଜା ତା’ର କାରନାମା ଶୁଣିବା ମାତ୍ରକେ ମୃତ୍ୟୁଦଣ୍ତର ଆଦେଶ ଦେଲେ। ଅପରାଧୀକୁ ବନ୍ଦୀଶାଳାକୁ ନିଆଗଲା। ତା’ ପରେ ରାଜା ମନ୍ତ୍ରୀଙ୍କୁ ପଚାରିଲେ- ଆପଣ ଏ ଅପରାଧୀ କ୍ଷେତ୍ରରେ କ’ଣ କରନ୍ତେ?
ମନ୍ତ୍ରୀ କିଛି କହିଲେ ନାହିଁ।

ତାକୁ ମୃତ୍ୟୁଦଣ୍ତ ମିଳିବାର ପୂର୍ବ ଦିନ ବନ୍ଦୀଶାଳା ଆଡ଼େ ଯାଇ ସେହି ବ୍ୟକ୍ତିର କାର୍ଯ୍ୟକଳାପକୁ ସନ୍ତର୍ପଣରେ ଲକ୍ଷ୍ୟ କରିବା ଲାଗି ମନ୍ତ୍ରୀ ରାଜାଙ୍କୁ ଅନୁରୋଧ କଲେ ।

ସେତିକି ବେଳକୁ ଅପରାଧୀର ପରିବାର ତାକୁ ଶେଷ ଥର ଲାଗି ଦେଖା କରିବାକୁ ଆସିଥା’ନ୍ତି। ଅପରାଧୀଟି ନିଜ ପତ୍ନୀ ଓ ପିଲାଛୁଆଙ୍କ ଗହଣରେ ଚୁପଚାପ ବସିଥିଲା ଏବ˚ ତା’ ଆଖିରୁ ଲୁହ ଧାର ବହୁଥିଲା।

ମନ୍ତ୍ରୀ କହିଲେ- ମହାରାଜ, ପଥର ତଳେ ପାଣିର ଝର ଥାଏ। ସେମିତି ସମସ୍ତଙ୍କ ହୃଦୟରେ କେଉଁଠି ନା କେଉଁଠି ମମତାର ଝରଟିଏ ଲୁଚିଥାଏ। ସେଇ ପଥର ଫଟାଇ ଦେଲେ ମମତାର ଧାରା ଚାରିଆଡ଼େ ବହିଯାଏ। ଏହି ସୁଯୋଗ ଜଣେ ଅପରାଧୀ ପାଇବା ଦରକାର।

ରାଜା ନିରବ ଥିଲେ।

ମନ୍ତ୍ରୀ କହିଲେ- ମଣିମା ଆପଣ ଭାବନ୍ତି ଯେ ସମାଜରୁ ମନ୍ଦ ଲୋକ କମିବା ଦରକାର। ମୁଁ ବି ତାହା ଚାହେଁ। କିନ୍ତୁ ମୁଁ ଚାହେଁ ମନ୍ଦ ଲୋକଙ୍କ ସ˚ଖ୍ୟା କମି ଭଲ ଲୋକଙ୍କ ସ˚ଖ୍ୟା ବଢୁ। ତେଣୁ ମନ୍ଦ ଲୋକେ ଦଣ୍ତ ସହିତ ଦ୍ବିତୀୟ ସୁଯୋଗ ମଧୢ ପାଇବା ଦରକାର।

ସମ୍ବନ୍ଧିତ ଖବର