ଉଜ୍ବେକିସ୍ତାନରେ ପହଞ୍ଚିଲେ ଜଣେ ମଲ୍ଲ ଯୋଦ୍ଧା। ସେ କହିଲେ ଯେ ସେ ସବୁ ଦ୍ବନ୍ଦ୍ବ ଯୁଦ୍ଧରେ ଜିତି ଜିତି ଆସିଛନ୍ତି। ସେଠାରେ ମଧୢ ସେ ଜିତିବେ। ତେଣୁ ରାଜା ତାଙ୍କୁ ପରୀକ୍ଷା କରିବା ସକାଶେ ବଡ଼ ବଡ଼ ମଲ୍ଲ ବୀରମାନଙ୍କୁ ଡକାନ୍ତୁ।
ରାଜା ଏହା ଶୁଣି ଆମୋଦିତ ହେଲେ ଏବ˚ ରାଜ୍ୟର ବଡ଼ ବଡ଼ ମଲ୍ଲ ଯୋଦ୍ଧାମାନଙ୍କୁ ଡକାଇଲେ। ବିଦେଶାଗତ ମଲ୍ଲ ବୀରଙ୍କ ସହିତ ସେମାନେ ଲଢ଼ିଲେ। କିନ୍ତୁ, କେହି ତାଙ୍କୁ ହରାଇ ପାରିଲେ ନାହିଁ। ସୁତରା˚ ସେହି ମଲ୍ଲ ଯୋଦ୍ଧା ଏ ଯାବତ୍ ସବୁ ଦ୍ବନ୍ଦ୍ବ ଯୁଦ୍ଧ ଜିଣି ଆସିଛନ୍ତି ବୋଲି ଛାତି ପିଟି ହୁ˚କାର ନେଲେ।
ଏହା ଶୁୁଣି ମୁଲ୍ଲା ନସିରୁଦ୍ଦିନ ତାଙ୍କ ସହିତ ଦ୍ବନ୍ଦ୍ବ ଯୁଦ୍ଧରେ ଛିଡ଼ା ହେବା ଲାଗି ବାହାରି ପଡ଼ିଲେ। ମୁଲ୍ଲା ଥିଲେ ଜଣେ ନିତାନ୍ତ ଦୁର୍ବଳ ଶରୀରଧାରୀ ବ୍ୟକ୍ତି। ମୁଲ୍ଲାଙ୍କ ସାହସ ଦେଖି ରାଜା ସ୍ତବ୍ଧ ହୋଇଗଲେ। ସେ ମୁଲ୍ଲାଙ୍କୁ କହିଲେ- ତୁମେ ୟେ କି ଦୁଃସାହସ କରୁଛ ମୁଲ୍ଲା?
ମୁଲ୍ଲା କହିଲେ- ମହାରାଜ, ସବୁ ସମ୍ଭବ। କିନ୍ତୁ ସେ ମୋତେ ଜିତିବା ସମ୍ଭବ ନୁହେଁ।
ସେ ଯାହା ହେଉ; ଦ୍ବନ୍ଦ୍ବ ଯୁଦ୍ଧ ଆରମ୍ଭ ହେଲା। ଯୁଦ୍ଧ ଆରମ୍ଭ ହେବା ଲାଗି ଘଣ୍ଟି ବାଜିଲା ମାତ୍ରକେ ମୁଲ୍ଲା ଯାଇ ମଲ୍ଲ ଯୋଦ୍ଧାଙ୍କ ପାଦ ତଳେ ପଡ଼ିଗଲେ। ରାଜା ନିରାଶ ହେଲେ। କ୍ଷଣିକ ଭିତରେ ସମାପ୍ତ ହୋଇଥିବା ଯୁଦ୍ଧରେ ମଲ୍ଲ ବୀରଙ୍କୁ ବିଜୟୀ ବୋଲି ଘୋଷଣା କରିବାର ବ୍ୟବସ୍ଥା ହେଲା। କିନ୍ତୁ ତା’ ପୂର୍ବରୁ ମୁଲ୍ଲା ଛିଡ଼ା ହୋଇ ପଡ଼ି କହିଲେ- ୟେ କି ଜିତିବା? ମୁଁ ତ ମୂଳରୁ ହାରିଗଲି। ହାରି ଯାଇଥିବା ଲୋକକୁ ହରାଇବା ପୁଣି କ’ଣ? ଏ ଯୁଦ୍ଧରେ ମୁଁ ହାରିଛି ସତ, କିନ୍ତୁ ମଲ୍ଲ ବୀର ଜିତି ନାହାନ୍ତି।