ତିନିଟି ମାର୍ଗ

କଥାଟିଏ - ଯାଯାବର

ଥରେ ଗୋଟିଏ ଗାଁକୁ ଆସିଲେ ଜଣେ ସାଧୁ। ସେ ଥିଲେ ଭାରି ଜ୍ଞାନୀ। ତେଣୁ ତାଙ୍କ ଠାରୁ ଉପଦେଶ ନେବା ଲାଗି ବା ତାଙ୍କ ପ୍ରବଚନ ଶୁଣିବା ଲାଗି ଅନେକ ଲୋକଙ୍କ ଭିଡ଼ ଜମିଲା।

ଏ କଥା ଦେଖି ଗାଁର ଜଣେ ବିଚକ୍ଷଣ ବ୍ୟକ୍ତି କହିଲେ- ୟେ କି ବଡ଼ କଥା? ମୁଁ ଚାହିଁଲେ ବି ଲୋକେ ମୋ ପାଖରେ ଧାଡ଼ି ବାନ୍ଧିବେ। ବିଚକ୍ଷଣ ବ୍ୟକ୍ତିଙ୍କ ପତ୍ନୀ କହିଲେ- ସାଧୁ ବାବାଙ୍କ ପାଖରେ ଲୋକଙ୍କୁ ଉପଦେଶ ଦେବା ଲାଗି ବହୁତ ଜ୍ଞାନ ଅଛି। ତୁମ ପାଖରେ କ’ଣ ଅଛି?

ବିଚକ୍ଷଣ ଲୋକ କହିଲେ- ତାହା ହେଲେ ଦେଖ।

ତା’ ପରେ ବିଚକ୍ଷଣ ଲୋକ ଜଣକ ଗାଁରୁ କୁଆଡ଼େ ଚାଲିଗଲେ। କିଛି ଦିନ ପରେ ସେ ଛଦ୍ମ ସାଧୁ ବେଶରେ ଆସି ଗାଁରେ ପହଞ୍ଚିଲେ। ଗାଁରେ ପ୍ରଚାର ହୋଇଗଲା ଯେ ଆଉ ଜଣେ ସାଧୁ ଆସିଛନ୍ତି। ଏବେ ଗାଁର କିଛି ଲୋକ ତାଙ୍କ ପାଖକୁ ବି ଗଲେ। ତାଙ୍କ ପାଖରେ ବି ଭିଡ଼ ଜମିଲା। କିଛି ଦିନ ପରେ ସେ ମେଲାଣି ନେଇ ଚାଲିଗଲେ ଓ ବେଶ ବଦଳାଇ ଘରକୁ ଫେରିଲେ।

ଘରେ ସ୍ତ୍ରୀ ପଚାରିଲେ- ତୁମେ ଏମିତି କ’ଣ କଲ ଯେ ତୁମ ପାଖରେ ବି ଲୋକ ରୁଣ୍ତ ହେଲେ?

ଏହି ବ୍ୟକ୍ତି କହିଲେ- ତିନିଟି କାମ କରିବାକୁ ହେବ। ପ୍ରଥମ କଥା ସବୁ ନୀତି ଶିକ୍ଷା ସମାନ, ଯାହା ଯୁଗଯୁଗ ଧରି ରହି ଆସିଛି। ତାକୁ ଟିକିଏ ଘଷି ମାଜି କହିବା ଦରକାର। ଦ୍ବିତୀୟ କଥା ହେଲା ତୁମର ଭେକ। ଜ୍ଞାନୀ ସାଧୁ ଜଣକ ଯଦି ଲଫଙ୍ଗା ଯୁବକ ଭଳି ରୂପରେ ଆସି ପ୍ରବଚନ ଦିଅନ୍ତି, ତେବେ ତାଙ୍କୁ ବି କେହି ଶୁଣିବେ ନାହିଁ। ତେଣୁ ସାଧୁ ବେଶ କାମ ଦେବ। ତୃତୀୟରେ ଲୋକେ ତୁମ ଠାରୁ ଉପଦେଶ ଚାହିଁଲେ ସେମାନଙ୍କୁ ଯାହା ଶୁଣିବାକୁ ଭଲ ଲାଗିବ ସେମିତି କହିବ। ଏହି ତିନିଟି ବାଟ ହୋଇଗଲେ ଲୋକେ ଅବଶ୍ୟ ରୁଣ୍ତ ହେବେ।

ସମ୍ବନ୍ଧିତ ଖବର