ଥ‌େର ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ ପଚାରିଲେ- ଆମେମାନେ ଶୁଣୁ କିପରି?

Advertisment

ଜଣେ କହିଲେ- ଆପଣ ଏଭଳି କହିବା ପଛରେ କିଛି କାରଣ ଅଛି ନିଶ୍ଚୟ। କାରଣ ଆମେ କାନ ବାଟେ ଶୁଣୁ ବୋଲି ଉତ୍ତର ତ ଅତି ସହଜ। ସେହି ଉତ୍ତର ଶୁଣିବା ଲାଗି ଆପଣ ଏମିତି ପ୍ରଶ୍ନଟିଏ ପଚାରି ନ ଥିବେ!

ୟୁଜିକେ ହସିଲେ। ସେ କହିଲେ- ଆପଣ ଠିକ୍‌ ବୁଝିଛନ୍ତି। ଆମେମାନେ ପ୍ରକୃତରେ କାନ ବା‌େଟ ନୁହେଁ। ହୃଦୟ ବାଟେ ଶୁଣୁ।

ଅନୁଗାମୀମାନଙ୍କ ମଧ୍ୟରୁ ଜଣେ କହିଲେ- ଏହାକୁ ଟିକିଏ ବିସ୍ତାର କରି କହନ୍ତୁ।

ୟୁଜିକେ କହିଲେ- ମୁଁ ଦିନେ ଗୋଟିଏ ଦଂପତିଙ୍କ କଳହ ଦେଖିଲି। ସେମାନେ ମୁହଁକୁ ମୁହଁ ଯୋଡ଼ି ପରସ୍ପର ଉପରେ ଅଭିସଂପାତ ବର୍ଷଣ କରୁଥିଲେ। ମୁଁ ଭାବିଲି ଯେ ଏମାନେ ପରସ୍ପରର ଏତେ ନିକଟରେ ଯେ ଫୁସ୍‌ଫୁସ୍‌ କରି କଥା ହେଲେ ବି ଶୁଣିପାରିବେ; ଏତେ ଜୋରରେ ଚିତ୍କାର କରୁଛନ୍ତି କାହିଁକି? ମୋତେ ସେମାନଙ୍କ ଭିତରୁ ଉତ୍ତର ମିଳିଲା ଯେ ସେମାନଙ୍କ କାନ ତ ଖୋଲା ଅଛି, ହେଲେ ସେମାନେ ପରସ୍ପରକୁ ଶୁଣିବା ଲାଗି ହୃଦୟ ବନ୍ଦ କରି ଦେଇଛନ୍ତି।

ଈଶ୍ବର ଚାହିଁଥିଲେ ଆମ କାନ ଲାଗି ପରଦାର ବ୍ୟବସ୍ଥା କରି ପାରିଥାଆନ୍ତେ। କିନ୍ତୁ ତାହା କରି ନାହାନ୍ତି। ତାହାର ଅର୍ଥ ଆମେ ଅନ୍ୟକୁ ଶୁଣିବାକୁ ପ୍ରୟାସ କରୁ। କିନ୍ତୁ ଆମ ଅହଂକାର ଆମ ହୃଦୟରେ ଏମିତି ବନ୍ଧଟିଏ ସୃଷ୍ଟି କରେ ଯେ ଜଣେ ଆମ ଆଗରେ କହି ଚାଲିଥିଲେ ବି ଆମେ ତାଙ୍କ କଥା ଶୁଣୁନା।

ତାହା ହେଲେ ଆମେ କ’ଣ କରିବା ଉଚିତ?

ଈଶ୍ବରଙ୍କ ଉଦ୍ଦେଶ୍ୟକୁ ସମ୍ମାନ ଜଣାଇ ସମସ୍ତଙ୍କୁ ଧୈର୍ଯ୍ୟ ଓ ସହାନୁଭୂତିର ସହିତ ଶୁଣିବା ଉଚିତ।