ଦୁଇଟି ଶବ୍ଦ

କଥାଟିଏ - ଯାଯାବର

ଗୋଟିଏ ଧର୍ମ ବିହାରରେ କିଛି ସନ୍ନ୍ୟାସୀ ରହୁଥିଲେ। ସେଇ ଧର୍ମ ବିହାରର ନିୟମ କାନୁନ ଥିଲା ଅତି କଡ଼ା। ସେ ନିୟମ ଭିତରୁ ଯାହା ସବୁଠାରୁ କଡ଼ା ଥିଲା, ତାହା ହେଉଛି ସେଠାରେ ରହୁଥିବା ପ୍ରତି ସନ୍ନ୍ୟାସୀଙ୍କୁ ମୌନ ରହିବାକୁ ପଡୁଥିଲା। କେବଳ ଦଶ ବର୍ଷରେ ଥରେ ସେମାନଙ୍କୁ କଥା କହିବାକୁ ସୁଯୋଗ ମିଳୁଥିଲା। ପୁଣି ସେଇ ସୁଯୋଗରେ ଜଣେ ମାତ୍ର ଦୁଇଟି ଶବ୍ଦ କହିବାର ସ୍ବାଧୀନତା ପାଉଥିଲା। ତେଣୁ କେବଳ ସେଇମାନେ ସେଇ ଧର୍ମ ବିହାରରେ ରହି ଧର୍ମ ଓ ଶୃଙ୍ଖଳା ବାବଦରେ ଶିକ୍ଷା ଲାଭ କରୁଥିଲେ, ଯେଉଁମାନଙ୍କ ଠାରେ ଏ କଠୋର ଅନୁଶାସନ ସହିବାର କ୍ଷମତା ଥିଲା।

ଜଣେ ଯୁବକ ସେଇ ଧର୍ମ ବିହାରକୁ ଆସିଲା। ଦଶ ବର୍ଷ ବିତିଗଲା ପରେ ସେ ଧର୍ମ ବିହାରର ମୁଖ୍ୟ ସନ୍ନ୍ୟାସୀଙ୍କ ପାଖକୁ ଯାଇ ଗୋଟିଏ କାଗଜରେ ଲେଖିଦେଲା- ଆଜ୍ଞା ଦଶ ବର୍ଷ ବିତିଗଲା।

ମୁଖ୍ୟ ସନ୍ନ୍ୟାସୀ ଲେଖିଦେଲେ- ଦୁଇଟି ଶବ୍ଦ କହିପାର।

ଯୁବକଟି କହିଲା- ଖଟଟି ଟାଣ।

ବେଶ୍‌ ତା’ର କଥା କହିବା ସରିଗଲା।

ଆହୁରି ଦଶ ବର୍ଷ ବିତିଗଲା। ସେ ପୁଣି ମୁଖ୍ୟ ସନ୍ନ୍ୟାସୀଙ୍କୁ ଲେଖି ଜଣାଇଲା ଯେ ଆଉ ଦଶ ବର୍ଷ ବିତିଗଲାଣି।

ମୁଖ୍ୟ ସନ୍ନ୍ୟାସୀ ଜଣାଇଲେ କେବଳ ଦୁଇଟି ଶବ୍ଦ କହ।

ଯୁବକଟି ଏଥର କହିଲା- ଖାଦ୍ୟ ଫାଲ୍‌ତୁ।

ତା’ ପରେ ପୁଣି ଆଉ ଦଶ ବର୍ଷ ବିତିଗଲା। ଯୁବକଟି ସେତିକି ବେଳକୁ ପ୍ରୌଢ଼ ହୋଇ ସାରିଥିଲେ। ସେ ଦୁଇଟି ଶବ୍ଦ କହିବାର ସୁଯୋଗ ପାଇଥିଲେ। ତେଣୁ ସେ ବହୁତ ଜୋରରେ କହିଲେ- ମୁଁ ଛାଡୁଛି।

ମୁଖ୍ୟ ସନ୍ନ୍ୟାସୀ କାଗଜରେ ଲେଖିଦେଲେ- ତୁମେ ଛାଡ଼ିବା ଲାଗି ତିରିଶ ବର୍ଷ ଅପେକ୍ଷା କଲ? ମୁଁ ତ ମୂଳରୁ ଜାଣିଥିଲି ଯେ ତୁମେ ଛାଡ଼ିଦେବ।
ଏଥର କଥା କହିବାର ପ୍ରତିବନ୍ଧ ନ ଥିଲା। ଧର୍ମ ବିହାର ଛାଡ଼ିବାକୁ ଯାଉଥିବା ସନ୍ନ୍ୟାସୀ ବିରକ୍ତିର ସହ କହିଲେ- ଜାଣିଥିଲେ? କେମିତି?

ମୁଖ୍ୟ ସନ୍ନ୍ୟାସୀ ନିର୍ବିକାର ଭାବେ ଲେଖିଲେ- ଦଶ ବର୍ଷରେ ଥରୁଟିଏ ମାତ୍ର ଦୁଇଟି ଶବ୍ଦ କହିବାକୁ ସୁଯୋଗ ପାଇ ତୁମେ ତାକୁ କେବଳ ଅଭିଯୋଗରେ ନଷ୍ଟ କରୁଥିଲ। ମୁଁ ଆଶ୍ଚର୍ଯ୍ୟ ତୁମେ ତିରିଶ ବର୍ଷ କାଟି ପାରିଲ କେମିତି?

ସମ୍ବନ୍ଧିତ ଖବର