ଦୂର ପାହାଡ଼

କଥାଟିଏ - ଯାଯାବର

ଚୀନ ଦେଶର କଥାଟିଏ ଶୁଣନ୍ତୁ।

ଗୋଟିଏ ଗାଁର ଦୁଇ ଜଣ ଯୁବକ ଭାରି ସାଙ୍ଗ ଥିଲେ। ଜଣକର ନାମ ଥିଲା ସି ଚୁଙ୍ଗ ଏବ˚ ଅନ୍ୟର ନାମ ଥିଲା ଲା ପିଙ୍ଗ। ସେମାନଙ୍କ ଗାଁ ଥିଲା ପାହାଡ଼ ଘେରା ଅତି ଶାନ୍ତ ମନୋରମ ପରିବେଶରେ ଅବସ୍ଥିତ ଏକ ଛୋଟ ବସତି। ଗାଁର ଉତ୍ତର ଦିଗରେ ଥିଲା ଗୋଲାପୀ ପାହାଡ଼। ସେଇ ପାହାଡ଼ର ଶିଖର ଦେଶ ଅଧିକା˚ଶ ସମୟରେ ବାଦଲ ଭିତରେ ରହୁଥିଲା। କିନ୍ତୁ ଯେତେବେଳେ ତାହା ବାଦଲ ମୁକ୍ତ ହେଉଥିଲା, ସେତେବେଳେ ଶିଖର ପ୍ରଦେଶର ରଙ୍ଗ ଦିଶୁଥିଲା ଗୋଲାପୀ। ପାହାଡ଼ର ଶିଖରରେ ଥିଲା ଗୋଟିଏ ମହଲ। ତଳୁ ତାହା ଦିଶୁଥିଲା ଅତି କ୍ଷୁଦ୍ର ଖେଳଣା ଭଳି। ଗାଁର ସବୁଠାରୁ ବିଦ୍ବାନ ଲୋକ କହୁଥିଲେ ଯେ ତାହା କୁଆଡ଼େ ଈଶ୍ବରଙ୍କ ଘର।

ଚୁଙ୍ଗ ଏବ˚ ପିଙ୍ଗଙ୍କୁ ସେଇ ପାହାଡ଼ ଖୁବ୍‌ ବିମୋହିତ କଲା। ସେମାନେ ଦିନେ ଗୋଲାପୀ ପାହାଡ଼ର ଶିଖରକୁ ଯିବାକୁ ସ୍ଥିର କଲେ। ଚୁଙ୍ଗ ନିଜ ମନ କଥା ପିଙ୍ଗକୁ କହିଲା।

କିନ୍ତୁ ପିଙ୍ଗ କହିଲା- ଆମେ ଏମିତି ତ ପାହାଡ଼କୁ ଦେଖି ଖୁସି ହେଉଛେ। ପାହାଡ଼ ଚଢ଼ିବା କାହିଁକି?

ଚୁଙ୍ଗ କହିଲା- ଚଢ଼ିଲେ ଆହୁରି ଦେଖିବା, ସେଥିରେ ଆହୁରି ଆନନ୍ଦ।

ପିଙ୍ଗ କିନ୍ତୁ ରାଜି ହେଲା ନାହିଁ। କିନ୍ତୁ ଚୁଙ୍ଗ ମୁଣ୍ଡରେ ତ ଭୂତ ସବାର ହୋଇଥିଲା। ‌ତେଣୁ ସେ ପାହାଡ଼ ଚଢ଼ିଲା। କିନ୍ତୁ ପାହାଡ଼ ଚଢ଼ା ଯେ ଭୀଷଣ କଷ୍ଟଦାୟକ ଓ ବିପଦପୂର୍ଣ୍ଣ ତାହା ସେ ଏବେ ବୁଝିପାରୁଥିଲା। ସେ ଯେତେ ଉପରକୁ ଚଢ଼ିଲେ ବି ଶିଖର ଯେମିତି ଘୁଞ୍ଚି ଘୁଞ୍ଚି ଯାଉଥିଲା।

ଚୁଙ୍ଗ ଆଉ ଫେରିଲା ନାହିଁ। ଅନେକ ବର୍ଷ ବିତିଗଲା। ପରିଣତ ବୟସରେ ଦିନେ ପିଙ୍ଗ ଗୋଲାପୀ ପାହାଡ଼ର ଶିଖରକୁ ଚାହିଁ ବସିଛି ସେ ଶୁଣିଲା ପବନରେ ଚୁଙ୍ଗର କଣ୍ଠ ସ୍ବର। ସେହି ସ୍ବର କହୁଥିଲା- ପିଙ୍ଗ, ତୁ ସତରେ କେତେ ଆନନ୍ଦରେ ଅଛୁ! ସବୁ ପାହାଡ଼ ଯେ ଚଢ଼ିବା ଲାଗି ଉଦ୍ଦିଷ୍ଟ ତାହା ନୁହେଁ। ଦୂରରୁ ତା’ର ଦୃଶ୍ୟକୁ ଦେଖି ସାରା ଜୀବନ ତୃପ୍ତ ହୋଇ ରହିଯାଇହେବ।

ସମ୍ବନ୍ଧିତ ଖବର